ଆଜି ପବିତ୍ର ଅଁଳା ନବମୀ : ବ୍ରହ୍ମାଙ୍କ ଲୁହରୁ ହୋଇଥିଲା ଅଁଳା ଗଛର ଉତ୍ପତ୍ତି, ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ ...

Published By : Prameya-News7 Bureau | November 17, 2018 IST

ଭୁବନେଶ୍ୱର ୧୭/୧୧ : ଆଜି ପବିତ୍ର ଅଁଳା ନବମୀ | କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପଡେ ଅଁଳା ନବମୀ | ଏହି ଦିନ ଅଁଳା ଗଛର ପୂଜା କରାଯାଏ | ଏହି ଦିନ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି | ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାନ୍ତି | ଆସନ୍ତୁ ଜାଣିବା ଆଜିର ପୂଜା ବିଧି : ୧. ମହିଳାମାନେ ସ୍ନାନ କରି ଅଁଳା ଗଛ ତଳେ ସଫାସଫି କରି ଅଁଳା ଗଛ ମୂଳରେ ଶୁଦ୍ଧ ଜଳ ସମର୍ପଣ କରିବେ | ଏହାପରେ ଗଛ ମୂଳେରେ କଞ୍ଚା କ୍ଷୀର ଢାଳି ପୂଜା କରିବେ | ୨. ଏହା ପରେ ନାଲି ସୁତା ଧରି ୮ଥର ଅଁଳା ଗଛର ପରିକ୍ରମା କରିବେ ଏବଂ ଏହି ସୁତାକୁ ଗଛରେ ଗୁଡ଼େଇବେ | କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାନ୍ତି | ୩. ଏହାପରେ ଗଛ ତଳେ ପୂଜାର୍ଚନା ସାରି ସନ୍ତାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି | ଆସନ୍ତୁ ଜାଣିବା ଅଁଳା ନବମୀର ଉତ୍ପତ୍ତି : କାଶୀନଗରରେ ଜଣେ ନିଃସନ୍ତାନ ବୈଶ୍ୟ ଧର୍ମାତ୍ମା ରହୁଥିଲେ | ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡୋଶୀ କହିଲେ ଯଦି ଭୈରବଙ୍କୁ ସେ ଏକ ବାଳକର ବଳି ଦେବେ ତାହେଲେ ତାଙ୍କର ପୁତ୍ର ପ୍ରାପ୍ତି ହେବ | ଏହି କଥା ବୈଶ୍ୟଙ୍କୁ ଜଣାପଡିବା ପରେ ସେ ମନା କରିଦେଇଥିଲେ | କିନ୍ତୁ ବୈଶ୍ୟଙ୍କ ପତ୍ନୀ ଏହି ମୌକା ଖୋଜୁଥିଲେ | ଦିନେ ବୈଶ୍ୟଙ୍କ ପତ୍ନୀ ଜଣେ କନ୍ୟାଙ୍କୁ କୂଅରେ ଧକ୍କା ଦେଇ ଭୈରବଙ୍କ ନାଁରେ ବଳି ଦେଇଦେଲେ | ତେବେ ଏହି ହତ୍ୟାର ପରିଣାମ ଓଲଟା ହୋଇଥିଲା | ହତ୍ୟା ଯୋଗୁଁ ବୈଶ୍ୟଙ୍କ ପତ୍ନୀଙ୍କ ଦେହ ଖରାପ ହୋଇଗଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କଲା | ବୈଶ୍ୟ ପଚାରିବାରୁ ପତ୍ନୀ ସମସ୍ତ ଘଟଣା ବିଷୟରେ ତାଙ୍କୁ କହିଥିଲେ | ସମସ୍ତ ଘଟଣା ଶୁଣି ବୈଶ୍ୟ କହିଲେ, ଗୋବଧ, ବ୍ରାହ୍ମଣ ବଧ ତଥା ନାବାଳକ ବଧ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ସଂସାରରେ କେଉଁଠି ବି ସ୍ଥାନ ନାହିଁ | ଗଙ୍ଗାରେ ଯାଇ ସ୍ନାନ କରି ଭଗବାନଙ୍କ ଭଜନ କରିବା ଦ୍ୱାରା ତାଙ୍କର ପାପର ପ୍ରାୟଶ୍ଚିତ ହେବ ବୋଲି ସେ ପତ୍ନୀଙ୍କୁ କହିଥିଲେ | ତେବେ ବୈଶ୍ୟଙ୍କ ପତ୍ନୀ ପଶ୍ଚାତାପ କରି ପାପ ଧୋଇବା ପାଇଁ ଗଙ୍ଗା ଗଲେ | ଗଙ୍ଗା ମା ତାଙ୍କୁ କାର୍ତ୍ତିକ ଶୁକ୍ଳ ପକ୍ଷ ତିଥିରେ ଅଁଳା ଗଛର ପୂଜା କରିବା ସହ ଅଁଳା ସେବନ କରିବା ପାଇଁ କହିଥିଲେ | ଗଙ୍ଗା ମାଙ୍କ କହିବାନୁଯାୟୀ ବୈଶ୍ୟଙ୍କ ପତ୍ନୀ ଅଁଳା ଗଛର ପୂଜା କରି ଅଁଳା ସେବନ କରିବା ଦ୍ୱାରା ତାଙ୍କ ଶରୀର ରୋଗମୁକ୍ତ ହୋଇଥିଲା | ଏହି ପୂଜା କରିବା ଦ୍ୱାରା କିଛି ଦିନ ପରେ ତାଙ୍କର ପୁତ୍ର ମଧ୍ୟ ଜନ୍ମ ହୋଇଥିଲା | ସେହିଦିନ ଠାରୁ ହିନ୍ଦୁ ପରମ୍ପରାରେ ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ଚାଲିଆସିଛି | ଅଁଳାର ଉତ୍ପତ୍ତି କେଉଁଠୁ ହୋଇଥିଲା : ଯେତେବେଳେ ସମଗ୍ର ବିଶ୍ୱ ଜଳମଗ୍ନ ଥିଲା, ସେତେବେଳେ ସ୍ୱୟଂ ବ୍ରହ୍ମ ପଦ୍ମ ଫୁଲରେ ବସି ପରଂବ୍ରହ୍ମାଙ୍କୁ ତପସ୍ୟା କରୁଥିଲେ | ସେ ନିଜ ତପସ୍ୟାରେ ମଗ୍ନ ଥିଲେ | ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ଯାଇଥିଲା | ବ୍ରହ୍ମଙ୍କ ଲୁହାରୁ ଅଁଳା ଗଛର ଉତ୍ପତ୍ତି ହୋଇଥିଲା | ଆସନ୍ତୁ ଜାଣିବା ଅଁଳା ଗଛର ମହତ୍ୱ : ହିନ୍ଦୁ ପରମ୍ପରା ଅନୁସାରେ ଯେଉଁ ବୃକ୍ଷର ଔଷଧୀୟ ଗୁଣ ରହିଛି ସେହି ସବୁ ବୃକ୍ଷକୁ bisesa ତିଥିରେ bisesa ପୂଜା କରିବାର ବିଧି ରହିଛି | ଅଁଳା ନବମୀ ଏହିଭଳି ଏକ ପରମ୍ପରାର ଅଂଶ | ଚିକିତ୍ସା ବିଜ୍ଞାନ ଅନୁସାରେ ଅଁଳାର ବହୁତ ଔଷଧୀୟ ଗୁଣ ରହିଛି | ଅଁଳାରେ ଆଇରନ ଏବଂ ଭିଟାମିନ-ସି ଭରପୁର ରହିଛି | ପ୍ରତିଦିନ ଅଁଳା ରସ ପିଇଲେ ପାଚକ ଶକ୍ତି ବୃଦ୍ଧି ପାଇଥାଏ | ପ୍ରତିଦିନ ଅଁଳା ରସ ପିଇଲେ ତ୍ୱଚାର ଚମକ ମଧ୍ୟ ବଢିଥାଏ | ଅଁଳା ଖାଇଲେ ଚୁଟିର ମଧ୍ୟ ଚମକ ବଢିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.