ହକି ବିଶ୍ୱକପରେ ତାରକା ମେଳି: ଆସିବେ ଅମିତାଭ, ଅମୀର, ସଚିନ !

Published By : Prameya-News7 Bureau | November 30, 2018 IST

ଭୁବନେଶ୍ୱର ୩୦/୧୧ : ଚଳିତ ହକି ବିଶ୍ୱକପରେ ଜମିବ ତାରକା ମେଳି | ଉଦଯାପନୀ ସନ୍ଧ୍ୟାରେ ଏମିତି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ, ଆଗରୁ କେହି ଦେଖିନଥିବେ | କଳିଙ୍ଗ ଷ୍ଟାଡିୟମ ମଂଚରେ ଏକାଠି ହେବେ ବଲିଉଡ ଓ କ୍ରୀଡା ଜଗତର ୬ ତାରକା | ବଡ ଖବର ହେଲା, ଭୁବନେଶ୍ୱରରେ ଚାଲିଥିବା ହକି ମହାପର୍ବରେ ସାମିଲ ହେବାକୁ ଆସିପାରନ୍ତି ବଲିଉଡର ଶେହେନସା ଅମିତାଭ ବଚ୍ଛନ | ସୁପରଷ୍ଟାର ଅମୀର ଖାନ ମଧ୍ୟ ଯୋଗ ଦେବେ ବୋଲି ଶୁଣାଯାଉଛି | ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ବି ଆମନ୍ତ୍ରଣ କରାଯାଇଛି ହକି ମହାକୁଂଭ ପାଇଁ | ସଚିନ ମଧ୍ୟ ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହୋଇପାରନ୍ତି | ତାଲିକା ଏତିକିରେ ସରିଯାଇନି | ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ଼ ମଧ୍ୟ ହକି ବିଶ୍ୱକପର ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେବା ସମ୍ଭାବନା ରହିଛି | ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବଲିଉଡ ଚକୋଲେଟ ବୟ ସାହିଦ କପୁର ବି ଆସୁଛନ୍ତି ବୋଲି ଶୁଣିବାକୁ ମିଳିଛି | ଏହା ସହ ବଲିଉଡର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ସହ ଯୋଗାଯୋଗ କରାଯାଇଛି | ଯାହାଙ୍କ ନାମ ସର୍ଵପ୍ରାଇଜ ରଖାଯାଇଛି | ଉଦ୍ଘାଟନୀ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ସୁପରଷ୍ଟାର ଶାହରୁଖ ଖାନ, ମାଧୁରୀ ଦୀକ୍ଷିତଙ୍କ ସହ ବରିଷ୍ଠ ସଂଗୀତକାର କଣ୍ଠଶିଳ୍ପୀ ଏ.ଆର.ରେହମାନ ଯୋଗ ଦେଇଥିଲେ | ସେମାନଙ୍କୁ ନେଇ ସାରା ଓଡିଶାରେ ହକିର କ୍ରେଜ ଆକାଶ ଛୁଇଁଥିଲା | ତା'ପରଦିନ ବାରବାଟୀରେ ହକି ପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବ ରେ ସଲ୍ମାନ ଖାନଙ୍କ ଉପସ୍ଥିତି ସଭିଙ୍କୁ କିମିଆଁ କରିଥିଲା | ଏହାକୁ ହକି ଫିବର ଶୀର୍ଷରେ ପହଁଚିଥିବାବେଳେ ଉଦଯାପନୀ ସନ୍ଧ୍ୟାକୁ ଆହୁରି ଦମଦାର କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି | ଏ ନେଇ କ୍ରୀଡା ବିଭାଗ ବଲିଉଡର ସୁପରଷ୍ଟାର, ସୁନାମଧନ୍ୟ କଳାକାର ଓ ମହାନ କ୍ରିକେଟରମାନଙ୍କ ସହ ଯୋଗାଯୋଗ କରିଛନ୍ତି | ସେମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି | କ୍ରୀଡା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁମାନଙ୍କୁ ଯୋଗାଯୋଗ କରାଯାଇଛି, ସେମାନଙ୍କ ଭିତରୁ କେତେକ ଆସିବେ ବୋଲି ସମ୍ମତି ଜଣାଇ ସାରିଲେଣି | ଅନ୍ୟମାନେ ଡିସେମ୍ବର ପ୍ରଥମ ସପ୍ତାହରେ ସ୍ପଷ୍ଟ କରିବେ | ଏହା ପରେ ଚୂଡାନ୍ତ ଘୋଷଣା କରାଯିବ | ଏଥିରୁ ସ୍ପଷ୍ଟ ଭୁବନେଶ୍ୱରରେ ହକିକୁ ନେଇ ଏକ ମେଗା ଶୋ ହେବାକୁ ଯାଉଛି | ଏମିତି ଶୋ ହେବ, ଯାହାକୁ ନେଇ ସାରା ଭାରତ ଗର୍ବ ଅନୁଭବ କରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.