ମନ ଜିତିଲେ ବିଗ୍‌ ବି: ୫୦ ହଜାର ଟଙ୍କା ଦେଇ ଦିବ୍ୟାଙ୍ଗଙ୍କ ପାଖରୁ କିଣିଲେ ପେଣ୍ଟିଂ

Published By : Prameya-News7 Bureau | February 05, 2020 IST

ମୁମ୍ବାଇ୫/୨: ବଲିଉଡ୍‌ର ବରିଷ୍ଠ କଳାକାର ତଥା ପିଲ୍ମ ଜଗତର ବାଦଶାହ ଅମିତାଭ ବଚ୍ଚନଙ୍କ ଦମଦାର ଅଭିନୟକୁ ଦର୍ଶକ ବେଶ ପସନ୍ଦ କରନ୍ତି। ଏହା ବ୍ୟତୀତ ବାହାର ଦୁନିଆରେ ତାଙ୍କର ଅନ୍ୟ ଏକ ପରିଚୟ ରହିଛି। ସେଇଟା ହେଉଛି ସମାଜସେବା। ବିଭିନ୍ନ ସମୟରେ ଗରିବ ଓ ନିରାଶ୍ରୟ ଲୋକମାନଙ୍କୁ ଅମିତାଭ ବଚ୍ଚନ ସହଯୋଗର ହାତ ବଢ଼ାଇଥାଆନ୍ତି। ଏପରି କି ପିଲ୍ମ ବ୍ୟତୀତ ଲୋକମାନଙ୍କ ସେବା କରିବାରେ ଆତ୍ମସନ୍ତୋଷ ମିଳିଥାଏ ବୋଲି ଅମିତାଭ ବିଭିନ୍ନ ସମୟରେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଦିବ୍ୟାଙ୍ଗ ଅମିତାଭଙ୍କ ଛବି ଚିତ୍ରଣ କରିଥିଲେ। ସେହି ପେଣ୍ଟିଂକୁ ନେଇ ଦିବ୍ୟାଙ୍ଗ ଅମିତାଭ ବଚ୍ଚନଙ୍କ ପାଖରେ ପହଞ୍ଚିଥିଲେ। ଦିବ୍ୟାଙ୍ଗଙ୍କ ଦ୍ବାରା ଚିତ୍ରଣ ହୋଇଥିବା ଅମିତାଭ ବଚ୍ଚନ ଛବି ଅତି ମନଲୋଭା  ହୋଇଥିଲା। ଯାହାକୁ ୫୦ ହଜାର ଟଙ୍କା ଦେଇ ଅମିତାଭ କିଣି ନେଇଥିଲେ।

ଦିବ୍ୟାଙ୍ଗ ଆୟୁଷ ପ୍ରଶଂସାର ଯୋଗ୍ୟ। କାହିଁକି ନା ଏହି ପେଣ୍ଟିଂକୁ ହାତରେ ନୁହେଁ ବରଂ ସେ ଗୋଡ଼ ସାହାଯ୍ୟରେ ଚିତ୍ରଣ କରିଥିଲେ। ଏହି ଚିତ୍ର ଦେଖିବା ପରେ ଆୟୁଷଙ୍କୁ ମୁମ୍ବାଇ ଡାକିଥିଲେ ଅମିତାଭ ବଚ୍ଚନ। ୨୦ ମିନିଟ୍ ଧରି ଆୟୁଷଙ୍କ ସହ ଅମିତାଭ କଥାବାର୍ତ୍ତା ହୋଇଥିଲେ। କୌନ ବନେଗା କୋରଡ୍ ପତି ସୋ ରେ ଯେପରି ଅମିତାଭଙ୍କ ଲୁକ୍‌ ରହେ, ଠିକ୍ ସେହିପରି ଚିତ୍ର ତିଆରି କରିଥିଲେ ଆୟୁଷ।

ଆୟୁଷଙ୍କ ମାଆ  ସରୋଜ କୁଣ୍ଡଲଙ୍କ କହିବା ମୁତାବକ ତାଙ୍କର ଭାବନା ଓ ଚିନ୍ତା ଶକ୍ତି ଉନ୍ନତ। ଅମିତାଭ ବଚ୍ଚନଙ୍କୁ ଦେଖା କରିବା ପରେ ଆୟୁଷଙ୍କ ମନରେ ଖୁସି ଖେଳି ଯାଇଛି। ବଲିଉଡ୍‌ର ଲୋକପ୍ରିୟ କଳାକାର ଅମିତାଭ ବଚ୍ଚନଙ୍କୁ ଆୟୁଷ ବହୁତ ଭଲ ପାଆନ୍ତି। ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମକୁ ଆୟୁଷ ବହୁତ ପସନ୍ଦ କରନ୍ତି ବୋଲି ସରୋଜ ଗୁଣ୍ଡଲ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.