ମୁମ୍ବାଇ ୧୮।୧୦: ବଲିଉଡ୍ ର ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଲିଭର୍ ରେ ସମସ୍ୟା ଥିବା ଜଣାପଡ଼ିଛି। ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବେଠୁ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ହସ୍ପିଟାଲର ଏକ ସ୍ପେଶାଲ ରୁମ୍ ରେ ତାଙ୍କୁ ରଖାଯାଇଛି । କେବଳ ପରିବାରଲୋକେ ତାଙ୍କୁ ଦେଖାକରିବା ପାଇଁ ଯାଉଛନ୍ତି।
୧୯୮୨ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ କରୁଥିବା ସମୟରେ ଅମିତାଭଙ୍କୁ ଆଘାତ ଲାଗିଥିଲା। ସେହି ସମୟରେ ଭୁଲ୍ ରେ ହେପାଟାଇଟିସ୍ ଭାଇରସ୍ ଥିବା ଜଣେ ବ୍ୟକ୍ତି ତାଙ୍କୁ ରକ୍ତ ଦେଇଥିଲେ । ସେବେଠାରୁ ବିଗ୍ ବି ସିରୋସିସ୍ ରୋଗରେ ପୀଡିତ ଅଛନ୍ତି। ଏହି ରୋଗ ଯୋଗୁଁ ତାଙ୍କର ଲିଭର୍ ୭୫ ପ୍ରତିଶତ ଅଂଶ କାମ କରିବା ବନ୍ଦ କରି ଦେଇଛି। ତାଙ୍କ ଲିଭରର ମାତ୍ର ୨୫ ପ୍ରତିଶତ କାମ କରୁଛି ବୋଲି ବିଗ୍ ବି ଅନେକ ଥର କହିଛନ୍ତି।