ପୁଣି ପଶ୍ଚିମବଙ୍ଗ ଗସ୍ତ କରିବେ ଅମିତ ଶାହା, ବିଜେପିରେ ସାମିଲ ହେବେ TMCର ଅନେକ ନେତା !

Published By : Prameya-News7 Bureau | January 28, 2021 IST

କୋଲକାତା ୨୮/୦୧ : ପଶ୍ଚିମବଙ୍ଗରେ ଦିନ କେଇଟା ପ​‌ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଛି । ତେବେ ଏହାରି ମଧ୍ୟରେ ଗୃହ ମନ୍ତ୍ରୀ ଅମିତ ଶାହା ପୁଣି ଥରେ ପଶ୍ଚିମବଙ୍ଗ ଗସ୍ତ କରିବେ । ଜାନୁୟାରୀ ୩୦-୩୧ରେ ଶାହାଙ୍କର ପଶ୍ଚିମବଙ୍ଗ ଗସ୍ତ ରହିଛି । ଶନିବାର କୋଲକାତାରେ ପହଞ୍ଚିବା ପରେ ଶାହା ପ୍ରଥମେ ଇସ୍କନ୍ ମନ୍ଦିର ଯାଇ ଦର୍ଶନ କରିବେ ।

ତେବେ ଶୁଣିବାକୁ ମିଳୁଛି ଶାହାଙ୍କ ଗସ୍ତ ବେଳେ ଟିଏମସିର ଅନେକ ନେତା ବିଜେପିରେ ସାମିଲ ହୋଇପାରନ୍ତି । ଉତ୍ତର ୨୪ ପରଗନା ଜିଲ୍ଲାର ଠାକୁରନଗରରେ ଶାହାଙ୍କର ଏକ ରାଲି କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ମତୁଆ ସମୁଦାୟଙ୍କୁ ସମ୍ବୋଧିତ କରିବେ । ଏହା ପରେ ସେ କୋଲକାତାର ସାଇନ୍ସ୍ ସିଟିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଅମିତ ଶାହାଙ୍କର ଏହି ଦିଇ ଦିନିଆ ପଶ୍ଚିମବଙ୍ଗ ବେଶ ପ୍ରଭାବୀ ରହିବ ବୋଲି ସୂଚନା ମିଳିଛି । କାରଣ ଏହି ଗସ୍ତରେ ଟିଏମସିର କିଛି ବିଧାୟକ ଏବଂ ଛାମୁଆ ନେତା ବିଜେପିରେ ଯୋଗ ଦେଇପାରନ୍ତି । ସେପଟେ ସତ୍ତାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏହା ସତର୍କ ଘଣ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଯେଉଁଭଳି ଭାବେ ଜଣେ ପରେ ଜଣେ ମନ୍ତ୍ରୀ, ବିଧାୟକ ଓ ନେତା ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି ତାହା ତୃଳମୂଳ କଂଗ୍ରେସରେ ଥିବା​‌ ଅନ୍ତଃକନ୍ଦଳକୁ ପଦାରେ ପକାଇଛି ।

ତେବେ ଶାହାଙ୍କ ଏହି ଗସ୍ତ ସମୟକୁ ନେଇ ବେଙ୍ଗଲରେ ରାଜନୀତି ସରଗରମ ହୋଇଯାଇଛି । ଗୋଟିଏ ପଟେ ବିଜେପି ଚାଣକ୍ୟ କୁହାଯାଉଥିବା ଅମିତ ଶାହାଙ୍କ ଘନଘନ ପଶ୍ଚିମବଙ୍ଗ ଗସ୍ତ ଅନ୍ୟ ପଟେ ସତ୍ତାରେ ଥିବା ଦିଦିଙ୍କ ଭାବମୂର୍ତ୍ତି ବେଙ୍ଗଲ ରାଜନୀତିକୁ ଚଳଚଞ୍ଚଳ କରିଛି । କିଛି ଦିନ ପରେ ପଶ୍ଚିମବଙ୍ଗ​‌ରେ ବିଧାନସଭା ନିର୍ବରଚନ ହେବ । ଏହା ପୂର୍ବରୁ ଦଳ ଡିଆଁ ରାଜନୀତି ମଧ୍ୟ ଟିଏମସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.