ଭୁବନେଶ୍ବରରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ; ୨ରେ ଆସିବେ ଅମିତ ଶାହ

Published By : Prameya-News7 Bureau | January 14, 2019 IST

ଭୁବନେଶ୍ବର ୧୪|୧: ଆସନ୍ତା ଫେବ୍ରୁଆରୀ ୨ ଏବଂ ୩ ତାରିଖ ଦିନ ଭୁବନେଶ୍ବଠାରେ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ ଅନୁଷ୍ଠିତ ହେବ । ଜନଜାତିମାନଙ୍କର ଅଧିକାରକୁ ଛଡାଇ ନେବା, କେନ୍ଦ୍ର ସରକାର ପ୍ରଣୟନ କରିଥିବା ଯୋଜନାକୁ ସଠିକ୍ ଭାବରେ ଲାଗୁ କରାଇ ନଦେବା ଏବଂ ଜନଜାତି ଆଦିବାସୀମାନଙ୍କର ବିଭିନ୍ନ ଜ୍ବଳନ୍ତ ପ୍ରସଙ୍ଗକୁ ନେଇ ଏହି ଅଧିବେଶନ ଆୟୋଜିତ ହେବ ବୋଲି ମୋର୍ଚ୍ଚାର ରାଜ୍ୟ ସଭାପତି ଓ ବିଧାୟକ ରବି ନାଏକ ସୂଚନା ଦେଇଛନ୍ତି ।  

ଏହି ମହାଧିବେଶନକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀଙ୍କ ଅଧିକାର ପାଇଁ ଆୟୋଜିତ ଏହି ଅଧିବେଶନରେ ୫ ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧି ସାମିଲ ହେବା ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଫେବୃଆରୀ ୩ ତାରିଖ ଦିନ ‘ଆଦିବାସୀଙ୍କ ହକ୍ ପାଇଁ ଭୁବନେଶ୍ବର ଚାଲ’ଅଭିଯାନ ରାଲି ଆୟୋଜିତ ହେବ । ଏହି ରାଲିରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସମେତ ୧ ଲକ୍ଷରୁ ଉର୍ଦ୍ଧିବ ଆଦିବାସୀ ଯୋଗଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି ଓ ରାଜ୍ୟସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ରବି ନାଏକ କହିଛନ୍ତି ।

ରାଜ୍ୟରେ ସବୁ ସମୟରେ ଆଦିବାସୀମାନେ ଉପେକ୍ଷିତ ହୋଇ ଆସୁଛନ୍ତି । ରାଜ୍ୟସରକାର ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାର ଦେବାରେ ସପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । ଜମି ନଥାଇ ଜମି ପଟ୍ଟା ଦେବେ ବୋଲି ମିଥ୍ୟା ପ୍ରତିଶୃତି ଦେଇଛନ୍ତି । ସେହିପରି ଜାତି ପ୍ରମାଣପତ୍ର ପାଇଁ ବିଭିନ୍ନ ଆଇନ କରି ଜନଜାତି ଲୋକମାନଙ୍କୁ ହଇରାଣ କରୁଛନ୍ତି । ଜନଜାତି ବର୍ଗଙ୍କ ଷ୍ଟାଇପେଣ୍ଡ ବକେୟା ରହିଛି । ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ନାଁରେ ୯ଟି ପରିଷଦ କରି ନିର୍ବାଚିତ ପ୍ରତିନିଧିମାନଙ୍କ ଅଧିକାରକୁ ଛଡାଇ ନେଇଛନ୍ତି । ରାଜ୍ୟସରକାରଙ୍କ ଆଦିବାସୀମାରଣ ନୀତିକୁ ବିରୋଧ ସହ ଆଦିବାସୀମାନଙ୍କୁ ସେମାନଙ୍କ ହକ୍ ଦେବା ଏହି ଅଧିବେଶନରେ ପ୍ରମୁଖ ଉଦ୍ଦେଶ୍ୟ ବୋଲି ରବି ନାଏକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.