ଅମ୍ପାନ ମୁକାବିଲା : ନବୀନ ଓ ମମତାଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦେଲେ ସ୍ଥିତିର ମୁକାବିଲା ନେଇ ସହାୟତା ପ୍ରତିଶୃତି

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯/୦୫ : ବାତ୍ୟା ଅମ୍ପାନକୁ ନେଇ ମଙ୍ଗଳବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି | ଏହାସହ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ଶାହ କଥା ହୋଇଛନ୍ତି | ବାତ୍ୟା ଅମ୍ପାନ ଯୋଗୁଁ ଉଭୟ ରାଜ୍ୟରେ ଉତ୍ପନ୍ନ ହେବାକୁଥିବା ପରିସ୍ଥିତି ପାଇଁ କେନ୍ଦ୍ର ସମ୍ପୂର୍ଣ ପ୍ରସ୍ତୁତ ଅଛି ଏବଂ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସେ ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି | ଶାହ ପ୍ରଥମେ ମମତାଙ୍କ କଥା ହୋଇ ବାତ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ | କେନ୍ଦ୍ର ସରକାର ପଶ୍ଚିମବଙ୍ଗର ସାହାଯ୍ୟ ପାଇଁ ପ୍ରତିବଦ୍ଧ ଏବଂ ଏନଡିଆରଏଫ ଟିମ ମଧ୍ୟ ନିୟୋଜିତ କରାଯାଇଛି ବୋଲି ସେ କହିଥିଲେ | ବାତ୍ୟା ମୁକାବିଲା ପାଇଁ ରାଜ୍ୟ ଅନ୍ୟ ଯେକୌଣସି ପ୍ରକାର ସାହାଯ୍ୟ ଆବଶ୍ୟକ ସେଥିପାଇଁ କେନ୍ଦ୍ର ସମ୍ପୂର୍ଣ ପ୍ରସ୍ତୁତ ବୋଲି ଶାହ ଆଶ୍ୱାସନା ଦେଇଛନ୍ତି |

{"id":272555,"width":580,"height":386,"sizeSlug":"large"}

ଏହାପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡିଶା ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଲୋଚନା କରିଥିଲେ | ବାତ୍ୟା ପ୍ରସ୍ତୁତି ନେଇ ସେ ନବୀନଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ | ସମସ୍ତ ସମ୍ଭାବ୍ୟ ସାହାଯ୍ୟ ପାଇଁ କେନ୍ଦ୍ର ପ୍ରସ୍ତୁତ ବୋଲି ସେ ନବୀନଙ୍କୁ କହିଛନ୍ତି | ସୋମବାର ଦିନ ଓଡିଶା ସରକାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳରୁ ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ |

{"id":272556,"width":582,"height":326,"sizeSlug":"large"}

ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ବୁଧବାର ଅପରାହ୍ନ ସୁଦ୍ଧା ଅମ୍ପାନ ପଶ୍ଚିମବଙ୍ଗ ଓଏ ଓଡିଶାର ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ | ତେବେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଅତ୍ୟନ୍ତ ଭୀଷଣ ବାତ୍ୟା ଅମ୍ପାନ ଦୁର୍ବଳ ପଡିପାରେ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି |

{"id":272557,"sizeSlug":"large"}

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଅମ୍ପାନ ଦିଘାରୁ ୬୩୦ କିମି ଦୂରରେ ରହିଛି | ଅମ୍ପାନ ବର୍ତ୍ତମାନ ପଶ୍ଚିମବଙ୍ଗର ଉତ୍ତର ପଶ୍ଚିମ ପ୍ରାନ୍ତରୁ ଉତ୍ତର-ଉତ୍ତରପୂର୍ବ ଦିଗ ଆଡକୁ ଗତି କରିବ ଏବଂ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ସମୁଦ୍ରତଟରେ ଲ୍ୟାଣ୍ଡଫଲ କରିବ | ଏହି ସମୟରେ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ସହ ବର୍ଷା ହେବାର ଆଶଙ୍କା ଦର୍ଶାଇ ଲୋକଙ୍କୁ ଆଲର୍ଟ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛନ୍ତି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.