ଦିଲ୍ଲୀରେ କରୋନା ରୋକିବା ପାଇଁ ୫୦୦ ରେଲଓ୍ଵେ କୋଚ୍, ଟେଷ୍ଟିଂ ୩ ଗୁଣ କରାଯିବ

Published By : Prameya-News7 Bureau | June 14, 2020 IST

ନୂଆଦିଲ୍ଲୀ ୧୪।୦୬: କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରବିବାର ଦିଲ୍ଲୀରେ ବଢୁଥିବା କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ଏହି  ବୈଠକ ଠିକ୍ ଏମିତି ସମୟରେ କରାଯାଇଛି ଯେବେ ଦିଲ୍ଲୀରେ ସଂକ୍ରମିତ ସଂଖ୍ୟା ପ୍ରାୟ ୩୯ ହଜାର ଅତିକ୍ରମ କରିଛି। ମୃତ୍ୟୁ ସଂଖ୍ୟା ୧୨୦୦ରୁ ଅଧିକ ରହିଛି। ପ୍ରାୟ ଏକ ଘଣ୍ଟା ୨୦ ମିନିଟ୍ ଧରି ଚାଲିଥିବା ବୈଠକରେ ଦିଲ୍ଲୀରେ କରୋନାକୁ ରୋକିବା, ଟେଷ୍ଟିଂ କ୍ଷମତା ବଢାଇବା, ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ସୁନିଶ୍ଚିତ କରିବା ଏବଂ ବାକି ସ୍ଵାସ୍ଥ୍ୟ ଭିତ୍ତିଭୂମି ସଜାଡିବା ଉପରେ ଗୁରୁତ୍ଵାରୋପ କରାଯାଇଛି। ଦିଲ୍ଲୀକୁ ତୁରନ୍ତ ୫୦୦ ରେଲଓ୍ଵେ ଆଇସୋଲେସନ କୋଚ୍‌ ଦିଆଯାଉଛି। ଏହା ବ୍ୟତୀତ ଟେଷ୍ଟିଂ ବଢାଇବାରେ କେନ୍ଦ୍ର ସରକାର ସାହାଯ୍ୟ କରିବେ।  ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ ସାମିଲ ଥିଲେ।

ବୈଠକରେ ରୋଗୀଙ୍କ ଲାଗି ଶଯ୍ୟାର ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦୀ ସରକାର ତୁରନ୍ତ ୫୦୦ ରେଲଓ୍ଵେ କୋଚ୍ ଦିଲ୍ଲୀକୁ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ମିଶାଇ ଦିଲ୍ଲୀରେ ଶଯ୍ୟା ସଂଖ୍ୟା ୮୦୦୦କୁ ବୃଦ୍ଧି ଘଟିବ। ଦିଲ୍ଲୀରେ କଣ୍ଟେନମେଣ୍ଟ ଅଞ୍ଚଳରେ ଘର ଘର ଯାଇ ପ୍ରତିଟି ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରାଯିବ। ଏହାର ରିପୋର୍ଟ ଗୋଟିଏ ସପ୍ତାହରେ ଦିଆଯିବ। ଏହା ସହିତ ମନିଟରିଂର ତ୍ଵରାନ୍ଵିତ ଲାଗି ପ୍ରତି  ବ୍ୟକ୍ତିଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଡାଉନଲୋଡ୍‌ କରାଯିବ।

{"id":286235,"sizeSlug":"large"}

ଶାହା କହିଛନ୍ତି, ଦିଲ୍ଲୀରେ କରୋନା ସଂକ୍ରମଣ ରୋକିବା ଲାଗି ଆଗାମୀ ଦୁଇ ଦିନରେ କରୋନା ଟେଷ୍ଟିଂ ବଢାଯାଇ ଦୁଇ ଗୁଣ କରାଯିବ। ୬ ଦିନରେ ଟେଷ୍ଟିଂକୁ ବଢାଇ ତିନି ଗୁଣ କରାଯିବ। କିଛି ଦିନ ପରେ କଣ୍ଟେନମେଣ୍ଟ ଜୋନ୍‌ରେ ପ୍ରତି ପୋଲିଂ ଷ୍ଟେସନରେ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ କରାଯିବ। ଦିଲ୍ଲୀର ଛୋଟ ହସ୍ପିଟାଲ ପର୍ଯ୍ୟନ୍ତ କରୋନା ପାଇଁ ସଠିକ୍ ସୂଚନା ଏବଂ ମାର୍ଗଦର୍ଶିକା ପାଇଁ ଏମ୍ସରେ ଟେଲିଫୋନ ଗାଇଡାନ୍ସ ପାଇଁ ବରିଷ୍ଠ ଡାକ୍ତରଙ୍କ ଏକ କମିଟି ଗଠନ କରାଯିବ।

ଘରୋଇ ହସ୍ପିଟାଲରେ ୬୦ ପ୍ରତିଶତ ଶଯ୍ୟା କମ୍‌ ଦରରେ ଉପଲବ୍ଧ କରାଇବା, କରୋନା ଚିକିତ୍ସା ଓ ଟେଷ୍ଟିଂ ଦର ସ୍ଥିର କରିବା ଲାଗି ଏକ କମିଟି ଗଠନ କରାଯାଇଛି, ଯିଏ କାଲି ସୁଦ୍ଧା ନିଜର ରିପୋର୍ଟ ପ୍ରଦାନ କରିବେ। ସରକାର ଅନ୍ତିମ ସଂସ୍କାର ପାଇଁ ନୂତନ ଗାଇଡ୍‌ଲାଇନ୍‌ ଜାରି କରିବାକୁ ନିର୍ଣ୍ଣୟ ନେଇଛନ୍ତି। ଏଥିରେ ଅନ୍ତିମ ସଂସ୍କାର ଶୀଘ୍ର ହୋଇ ପାରିବ। ସରକାର ସ୍କାଉଟ୍ ଗାଇଡ୍‌, ଏନସିସି, ଏନଏସଏସ ପରି ସଂସ୍ଥାକୁ ମହାମାରୀରେ ସ୍ଵାସ୍ଥ୍ୟ ସେବା ନିମନ୍ତେ ଭଲୁଣ୍ଟିଅର ଭାବେ ଯୋଡିବାକୁ ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.