ଦିଦିଙ୍କ ଗଡ଼ରେ ଶାହଙ୍କ ଦମ୍ଭୋକ୍ତି: ‘୨୦୦ ଆସନରେ ଜିତିବୁ, ସୁନାର ବଙ୍ଗଳା ଗଢ଼ିବୁ’

Published By : Prameya-News7 Bureau | November 06, 2020 IST

କୋଲକାତା ୬/୧୧: ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ଗସ୍ତରେ ଅଛନ୍ତି । ପଶ୍ଚିମବଙ୍ଗରେ ଟିଏମସି ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି ଶାହ। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦିଦିଙ୍କ ବିରୋଧରେ ଶାହଙ୍କ ଗର୍ଜନ ଗେମଚେଞ୍ଜର ସାବ୍ୟସ୍ତ ହେଉଛି କି ନାହିଁ ସମୟ କହିବ। କିନ୍ତୁ ଏହି ସମୟରେ ସାମ୍ବାଦିକ ସମ୍ମଳନୀରେ ଶାହ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଚର୍ଚ୍ଚାର କେନ୍ଦ୍ରକୁ ଆସିଛି।

କଂଗ୍ରେସ, କମ୍ୟୁନିଷ୍ଟ ଓ ଟିଏମସିକୁ ମୌକା ଦେଇଛନ୍ତି ଥରେ ବିଜେପିକୁ ସରକାର କରିବାକୁ ଦିଅନ୍ତୁ। ୫ ବର୍ଷରେ ବିଜେପି ସୁନାର ବଙ୍ଗଳା କରିଦେବ ବୋଲି କହିଛନ୍ତି ଅମିତ ଶାହ।  ସେପଟେ ଟିଏମସିର ନାରା ମା, ମାଟି, ମଣିଷ ଏବେ ଏକଛତ୍ରବାଦ ଶାସନରେ ପରିଣତ ହୋଇଥିବା କହିବା ସହ ଦିଦିଙ୍କୁ ବି ଟାର୍ଗେଟ କରିବାକୁ ଭୁଲିନାହାନ୍ତି ଶାହ।

କେବଳ ସେତିକି ନୁହେଁ ଆସନ୍ତା ବିଧାନସଭା ନିର୍ବାଚନରେ ୨୦୦ରୁ ଅଧିକ ସିଟ୍‌ ବିଜେପି ଜିତି ସରକାର କରିବ ବୋଲି ମଧ୍ୟ ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ଲୋକଙ୍କ ମଧ୍ୟରେ ଏକ ନିଆରା ବାତାବରଣ ଦେଖିବାକୁ ମିଳୁଛି। ମୁଁ ଯେଉଁଆଡ଼େ ଗଲି ସେଠାରେ ଶହ ଶହ ଲୋକ ଯୋଗଦେଲେ। ସେମାନଙ୍କ ମୁହଁରୁ ଭାରତ ମାତା କି ଜୟ, ବନ୍ଦେ ମାତରମ୍‌, ଜୟ ଶ୍ରୀରାମ  ନାରା ଶୁଣି ଲାଗିଲା କି ସେମାନେ ଆମକୁ ସ୍ବାଗତ କରିବା ଅପେକ୍ଷା ମମତା ସରକାରଙ୍କ ପ୍ରତି ନିଜର ଅସନ୍ତୋଷ ଅଧିକ ପ୍ରକାଶ କରୁଥିଲେ ବୋଲି ଶାହ କହିଛନ୍ତି।

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଅମିତ ଶାହ। ଶୁକ୍ରବାର ତାଙ୍କ ଗସ୍ତର ଦ୍ବିତୀୟ ତଥା ଶେଷ ଦିନ ଥିଲା।  ଆଜି ମମତା ସରକାରଙ୍କ ଉପରେ ଖୁବ ବର୍ଷିବା ସହ ପଶ୍ଚିମବଙ୍ଗରେ ୩ ପ୍ରକାର ଆଇନ କାର୍ଯ୍ୟକାରୀ ହେଉଥିବା କହିଥିଲେ ଶାହ । ଗୋଟିଏ ନିୟମ ନିଜର ପୁତୁରା ପାଇଁ, ଗୋଟିଏ ନିଜର ଭୋଟ ବ୍ୟାଙ୍କ ପାଇଁ ଓ ଆଉ ଗୋଟିଏ ଆଇନ୍‌ ସାଧାରଣ ଲୋକଙ୍କ ପାଇଁ ଲାଗୁ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଅମିତ ଶାହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.