ବିଜେପିର ମିଶନ ପଶ୍ଚିମବଙ୍ଗ ଧରିଲା ସ୍ପିଡ୍ : କୋଲକାତାରେ ପହଁଚିଲେ ଅମିତ ଶାହ, ଆଜି ଟିଏମସି ଛାଡିଥିବା ୭ରୁ ୮ ବିଧାୟକ ଧରିପାରନ୍ତି ପଦ୍ମ

Published By : Prameya-News7 Bureau | December 19, 2020 IST

ନୁଆଦିଲ୍ଲୀ, ୧୯|୧୨ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଶନିବାର କୋଲକାତାରେ ପହଁଚିଛନ୍ତି । ପଶ୍ଚିମବଙ୍ଗରେ ଚାଲିଥିବା ରାଜନୈତିକ ହଟ୍ଟଚମଟ ମଧ୍ୟରେ ଶାହଙ୍କ ଏହି ଗସ୍ତ ବହୁ ଗୁରୁତ୍ୱ ବହନ କରେ । ଏଠାରେ ଶାସନରେ ଥିବା ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନେକ ସହଯୋଗୀ ଏବେ ଅସନ୍ତୁଷ୍ଟ । ସେମାନେ ବିଜେପିରେ ଯୋଗ ଦେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଶାହଙ୍କ ଉପସ୍ଥିତିରେ ଦଳ ଛାଡିଥିବା ଟିଏମସି ନେତା ପଦ୍ମ ଧରିପାରନ୍ତି ।

ମମତାଙ୍କ ଘନିଷ୍ଠ ସହଯୋଗୀ ତଥା ଟିଏମସିର ବିଧାୟକ ଶୁଭେନ୍ଦୁ ଅଧିକାରୀ ଶନିବାର ଶାହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବେ । ପଶ୍ଚିମବଙ୍ଗର ମେଦିନାପୁରର ଏକ କାର୍ଯ୍ୟକ୍ରମରେ ଶାହ ସମ୍ବୋଧନ କରିବେ । ଏଠାରେ ଶୁଭେନ୍ଦୁ ପଦ୍ନ ପୋଖରୀକୁ ଲମ୍ଫ ମାରିବେ । ଆହୁରି ମଧ୍ୟ ୭ରୁ ୮ ଟିଏମସି ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ଟିଏମସିର ଦବଦବା ସେତେ ହ୍ରାସ ପାଇବାରେ ଲାଗିଛି । ଦଳର ଅନେକ ଟାଣୁଆ ଓ ଛାମୁଆ ନେତା ଏବେ ବିଜେପି ମୁହାଁ । ମମତାଙ୍କୁ ଲଗାତର ଭାବେ ଝଟକା ଲାଗୁଛି ।

ଅନ୍ୟ ପଟେ ଶନିବାର ଶାହ ପଶ୍ଚିମବଙ୍ଗ ଗସ୍ତ କରିବା ପୂର୍ବରୁ ବିଜେପିର ଅନେକ ଜାତୀୟ ନେତା କୋଲକାତାରେ ଡେରା ପକାଇଛନ୍ତି ।  ତେବେ ଶାହଙ୍କ ଏହି ଗସ୍ତ ବିଜେପିର ମୂଳଦୁଆକୁ ଆହୁରି ଦୃଢ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.