ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ

Published By : Prameya-News7 Bureau | October 26, 2021 IST

ଶ୍ରୀନଗର, ୨୬|୧୦:   ସିଆରପିଏଫ୍ କ୍ୟାମ୍ପରେ ରାତି ବିତାଇଲେ ଅମିତ ଶାହା । ଯବାନଙ୍କ ସହ କଲେ ରାତ୍ରି ଭୋଜନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମୁ କଶ୍ମୀର ଗସ୍ତର ୩ୟ ତଥା ଅନ୍ତିମ ଦିନରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ କ୍ୟାମ୍ପରେ ରାତ୍ରି ଯାପନ କରିଛନ୍ତି। ଏହା ପୂର୍ବରୁ ସେ ଯବାନଙ୍କ ସହିତ ରାତ୍ରୀ ଭୋଜନ କରିଥିଲେ । ଅମିତ ଶାହ ପୁଲୱାମା ଜିଲ୍ଲାର ଲେଥପୋରାସ୍ଥିତ ସିଆରପିଏଫ କ୍ୟାମ୍ପସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ୩ ଦିନ ରହଣି କାଳରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଶାହା । ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ବଢୁଥିବାରୁ ତାକୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ ।   

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି । ଆତଙ୍କବାଦୀକୁ ପ୍ରତିହତ କରିବା ପାଇଁ ଜାମ୍ମୁ କାଶ୍ମୀର ଗସ୍ତର ପ୍ରଥମ ଦିନରେ ଲମ୍ବା ସମୟ ଧରି ବୈଠକ କରିଥିଲେ ଶାହା । ୪ ଘଣ୍ଟା ଧରି ହୋଇଥିବା ଉକ୍ତ ବୈଠକରେ କେନ୍ଦ୍ରୀୟ ଏଜେନ୍ସିଙ୍କ ସହ ମିଶି କାମ କରିବା ପାଇଁ ବରିଷ୍ଠ ସେନା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ଆତଙ୍କବାଦର ମୂଳତ୍ପାଟନ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା ।

ତେବେ କଥା ହେଉଛି ଗୋଟିଏ ପଟେ ଜାମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଅନ୍ୟପଟେ ସୋମବାର ପୋଲିସ ଚେକ୍‌ ପୋଷ୍ଟ ଉପରେ ଆତଙ୍କବାଦୀ ଗ୍ରେନେଡ୍ ମାଡ କରିଥିଲେ ।

ସୂଚନାଯୋଗ୍ୟ, ଘାଟିରେ ଗତ କିଛି ଦିନ ହେଲା ଲଗାତାର ଭାବେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । କେବଳ ଭାରତୀୟ ସେନା ନୁହେଁ ସାଧାରଣ ଲୋକ ତଥା ବିଶେଷ କରି ଅଣ କାଶ୍ମୀରୀଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । କିଛିଦିନ ମଧ୍ୟରେ ୧୧ ଜଣଙ୍କୁ ଗୁଳିକରି ହତ୍ୟା କରିସାରିଲେଣି ଆତଙ୍କୀ । ଭାରତୀୟ ସେନା ପକ୍ଷରୁ ମଧ୍ୟ ମୁହଁତୋଡ ଜବାବ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.