କଂଗ୍ରେସକୁ ଶାହାଙ୍କ ଟାର୍ଗେଟ୍ : ଅନୁପ୍ରବେଶକାରୀଙ୍କୁ ରୋକିବାରେ ବିଫଳ ହୋଇଥିଲା ପୁର୍ବ ସରକାର, କିନ୍ତୁ ବିଜେପି ଦେଇଛି ବ୍ରେକ୍

Published By : Prameya-News7 Bureau | December 26, 2020 IST

ଗୌହାଟୀ ୨୬/୧୨ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଆସାମରେ ବିଭିନ୍ନ ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଶାହା ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟରେ ପୂର୍ବରୁ କ୍ଷମତାରେ ଥିବା ସରକାରମାନେ ଅନୁପ୍ରବେଶକାରୀଙ୍କୁ ରୋକିବାରେ ସଫଳ ହୋଇନଥିଲେ । କିନ୍ତୁ ଯେବେଠାରୁ ଆସାମରେ ବିଜେପି ସରକାର ତିଆରି ହୋଇଛି ଅନୁପ୍ରବେଶ ଘଟଣା ଦେଖିବାକୁ ମିଳୁନାହିଁ । ଶାହା କହିଛନ୍ତି କେବଳ ବିଜେପି ସରକାର ହିଁ ଅନୁପ୍ରବେଶକାରୀଙ୍କୁ ରୋକିବାରେ ସକ୍ଷମ ହୋଇପାରିଛି ।

ଆସାମର କାମରୂପରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ଶାହା କହିଛନ୍ତି, ଏକ ସମୟରେ ବିଚ୍ଛିନ୍ନତାବାଦୀମାନେ ଯୁବକମାନଙ୍କ ହାତରେ ବନ୍ଧୁକ ଧରାଇ ସମସ୍ତ ରାଜ୍ୟରେ ନିଜର ଏଜେଣ୍ଡା ଚଳାଉଥିଲେ । ଆଜି ସେହି ସମସ୍ତ ସଂଗଠନ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଦେଶର ଯୁବକମାନେ ସେମାନଙ୍କର ନୂଆ ଷ୍ଟାର୍ଟଅପ୍ ସହିତ ସମଗ୍ର ବିଶ୍ୱରେ ଯୁବକମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରି ସେମାନଙ୍କର ଦକ୍ଷତାକୁ ଭାରତର ଦକ୍ଷତା ଭାବରେ ପରିଣତ କରିବାକୁ ଯାଉଛନ୍ତି ।

ରାଲିକୁ ସମ୍ବୋଧିତ କରି ଗୃହ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପୁର୍ବରୁ ଯେତେ ବି ସରକାର କ୍ଷମତାକୁ ଆସିଛନ୍ତି ସେମାନେ ଅନୁପ୍ରବେଶକାରୀଙ୍କୁ ରୋକିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହା ସହ କଂଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି ଯେ, କଂଗ୍ରେସ କ୍ଷମତାରେ ଥିବା ବେଳେ ଆଚାର୍ଯ୍ୟ ଶଙ୍କରଦେବଙ୍କ ଜନ୍ମସ୍ଥାନ ପାଇଁ କିଛି କରିନାହିଁ । ଆଚାର୍ଯ୍ୟ ଶଙ୍କରଦେବଙ୍କର ଆସାମର ଇତିହାସ, କଳା ଏବଂ କବିତା ପାଇଁ ସ୍ବତନ୍ତ୍ର ଅବଦାନ ଥିଲା । କିନ୍ତୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଭାଷା, ସଂସ୍କୃତି ଓ କଳାକୁ ସ୍ବତନ୍ତ୍ର ପରିଚୟ ଦେଇଛି ।

ସେ କହିଛନ୍ତି ଆସାମରେ ଗତ ସାଢେ ୪ ବର୍ଷ ହେଲା ଯେଉଁ ବିକାଶର ଯାତ୍ରା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଜାରି ରହିଛି ତାହା ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଆସାମର ବିକାଶ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ । ଅନେକ ସମୟରେ ଆସାମରେ ବିଭିନ୍ନ ମୁଦ୍ଦାକୁ ନେଇ ଆନ୍ଦୋଳନ ହୋଇଛି । ଏଥିରେ ଅନେକ ଯୁବକ ପ୍ରାଣ ହରାଇଛନ୍ତି । ସେମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇ ଆସାମର ବିକାଶରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଆସାମର ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି ଏବଂ ଆଗାମୀ ଦିନରେ ବିକାଶ କାର୍ଯ୍ୟ ଜାରି ରହିବ ବୋଲି ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.