କଂଗ୍ରେସ ଓ DMK ଉପରେ ବର୍ଷିଲେ ଶାହା : କହିଲେ, ‘୨ଜି, ୩ଜି, ୪ଜି ସବୁ ତାମିଲନାଡୁରେ ଅଛନ୍ତି, ୪ଜି ହେଉଛି ଗାନ୍ଧୀ ପରିବାରର ୪ ପିଢି’…

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ ୨୮/୦୨ : ପୁଣି କଂଗ୍ରେସ ଉପରେ ବର୍ଷିଛନ୍ତି ଅମିତ ଶାହା । ରବିବାର ତାମିଲନାଡୁରେ ଏକ ରାଲିକୁ ସମ୍ବୋଧିତ କରିବା ସହିତ କଂଗ୍ରେସ ଏବଂ ଡିଏମ୍‌କେ ଉପରେ ପ୍ରବଳ ବର୍ଷିଛନ୍ତି ଶାହା । ଶାହା କହିଛନ୍ତି, ‘୨-ଜି, ୩-ଜି, ୪-ଜି ଏସବୁ ତାମିଲନାଡୁରେ ଅଛି । ୨-ଜି ହେଉଛି ମାରନ୍‌ ପରିବାରର ୨ ପିଢି । ୩-ଜି ହେଉଛି କରୁଣାନିଧି ପରିବାରର ୩ ପିଢି ଏବଂ ୪-ଜି ହେଉଛି ଗାନ୍ଧୀ ପରିବାରର ୪ ପିଢି । ଏ ସବୁ ତାମିଲନାଡୁରେ ଦେଖିବାକୁ ମିଳୁଛି ।’

ରାଲିକୁ ସମ୍ବୋଧିତ କରିବା ଅବସରରେ ଶାହା କହିଛନ୍ତି, ‘AIADMK-NDA ଦେଶର ସୁରକ୍ଷା ପାଇଁ, ଦେଶରୁ ଗରିବୀ ହଟାଇବାକୁ ଚାହୁଁଛନ୍ତି । ଦେଶର ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବାକୁ ଚାହୁଁଛନ୍ତି ଏବଂ ସେପଟେ ଡିଏମ୍‌କେ ଏବଂ କଂଗ୍ରେସ ପାର୍ଟି ନିଜ ପରିବାର କଥା ଚିନ୍ତା କରୁଛନ୍ତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହୁଛନ୍ତି ।’

ଶାହା ଆହୁରି ମଧ୍ୟ କହିଛନ୍ତି, ‘ଏମ୍‌ କେ. ଷ୍ଟାଲିନ୍‌ ଭ୍ରଷ୍ଟାଚାର କଥା କହୁଛନ୍ତି । ତେବେ ସେ କୁହନ୍ତୁ ୨-ଜି ସ୍କାମ୍‌ରେ କାହାର ହାତ ଥିଲା ? ସୋନିଆ ଗାନ୍ଧୀଙ୍କ ଚିନ୍ତା ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଅନ୍ୟପଟେ ଷ୍ଟାଲିନ୍‌ଙ୍କୁ ଚିନ୍ତା ଉଧୟନିଧିଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ । ଏମାନଙ୍କୁ ଦେଶର ଚିନ୍ତା ନାହିଁ କି ତାମିଲନାଡୁର ବିକାଶ ଚିନ୍ତା ନାହିଁ, ଏମାନଙ୍କୁ କେବଳ ପରିବାର ଚିନ୍ତା ହିଁ ରହୁଛି ।’

ତାମିଲନାଡୁ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ ଶାହା କହିଛନ୍ତି, ୨୦୨୨ ସୁଦ୍ଧା ଦେଶର ପ୍ରତି ଗରିବ ପରିବାର ପାଖରେ ନଳ ଯୋଗେ ପାଣି ଯୋଗାଇ ଦିଆଯିବ । ୨୦୨୨ ସୁଦ୍ଧା ଦେଶରେ କାହାର ଚାଳ ଛପର ଘର ନଥିବ । ୭୦ ବର୍ଷ ଶାସନରେ ଥିବା କଂଗ୍ରେସ ସରକାର ଯାହା କରିପାରିନଥିଲା ମାତ୍ର ୬ ବର୍ଷରେ ଭାଜପା ତାହା କରିକି ଦେଖାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.