Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ରହିବାକୁ ଚାହାନ୍ତିନି ଅମିତ ମିତ୍ର, ଲଢିବେନି ନିର୍ବାଚନ

11/07/2021 at 4:39 PM

କୋଲକାତା ୧୧।୭: ପଶ୍ଚିମବଙ୍ଗ ବିଧାନସଭାର ବଜେଟ୍ ଅଧିବେଶନ ଜାରି ରହିଛି। ତେବେ ମମତାଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଅଧିବେଶନରେ ଅର୍ଥମନ୍ତ୍ରୀ ଅମିତ ମିତ୍ର  ବଜେଟ୍ ଉପସ୍ଥାପନ କରି ନାହାନ୍ତି। ଗୁରୁତର ଅସୁସ୍ଥତା କାରଣରୁ ବିଧାନସଭାରେ ମିତ୍ର ବଜେଟ୍ ଉପସ୍ଥାପନ କରିପାରି ନଥିଲେ। ତେବେ ଅଧିବେଶନ ପରେ ଭର୍ଚୁଆଲ ସମ୍ମିଳନୀରେ ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ।

ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଭାବେ ମିତ୍ର ଗତ ୧୦ ବର୍ଷ ହେଲା କାର୍ଯ୍ୟକରି ଆସିଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଗତ ବିଧାନସଭା ନିର୍ବାଚନ ମଧ୍ୟ ସେ ଲଢି ନଥିଲେ। ତେବେ ମମତା ତାଙ୍କୁ ପୁଣି ଅର୍ଥମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେ କିଛି ସମୟ ତାଙ୍କ ଝିଅ ସହ ବିଦେଶରେ କଟାଇବାକୁ ଚାହୁଁଥିବା ତାଙ୍କ ନିକଟ ସମ୍ପର୍କୀୟଙ୍କୁ କହୁଥିବାର ଜଣାପଡିଛି। ଅର୍ଥମନ୍ତ୍ରୀ ଭାବେ ତାଙ୍କୁ ଆଗକୁ ଉପନିର୍ବାଚନ ଲଢିବାକୁ ପଡିବ। ହେଲେ ସେ ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଚାହୁଁ ନଥିବା ତାଙ୍କ ଉଦ୍ଦେଶ୍ୟରୁ ସ୍ପଷ୍ଟ ବୁଝାପଡୁଛି।

ଯଦି ଅମିତ ମିତ୍ର ଉପନିର୍ବାଚନ ନଲଢନ୍ତି ତେବେ ମମତାଙ୍କୁ ରାଜ୍ୟ ଲାଗି ନୂଆ ଅର୍ଥମନ୍ତ୍ରୀ ଖୋଜିବାକୁ ପଡିବ ବୋଲି ଦେଖାଗଲାଣି। ପାର୍ଟି ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏଇ ଥରକ ଲାଗି ତାଙ୍କୁ ଅର୍ଥମନ୍ତ୍ରୀ ହେବା ନିମନ୍ତେ ମମତା ବ୍ୟକ୍ତିଗତ ଅନୁରୋଧ କରିବେ। ଯଦି ଏଥିରେ ସେ ରାଜି ନ ହୁଅନ୍ତି ତେବେ ତାଙ୍କୁ ରାଜ୍ୟର ଆର୍ଥିକ ପରାମର୍ଶଦାତା ରହିବାକୁ ଦଳ ପକ୍ଷରୁନିବେଦନ କରାଯିବ।

ମମତାଙ୍କ ଲଗାତାର ଗତ ୨ ପାଳିରେ ସବୁ ବିଭାଗର ପରିବର୍ତ୍ତନ ହୋଇଛି। ହେଲେ ମୁଖ୍ୟମନ୍ତ୍ରୀ କେବେ ଅର୍ଥ ଓ ପଞ୍ଚାୟତିରାଜ ବିଭାଗରେ ହାତ ମଧ୍ୟ ମାରି ନାହାନ୍ତି। ଅର୍ଥମନ୍ତ୍ରାଳୟ ଦାୟିତ୍ୱ ପ୍ରଥମରୁ ଅମିତ ମିତ୍ର ବୁଝି ଆସୁଥିବା ବେଳେ ସୁବ୍ରତ ମୁଖାର୍ଜୀ ପଞ୍ଚାୟତ ବିଭାଗ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଏଥିରେ ଯଦି ମିତ୍ର ମନ୍ତ୍ରାଳୟ ଦାୟିତ୍ୱ ନେବାକୁ ରାଜି ନ ହୁଅନ୍ତି ତେବେ ରାଜ୍ୟ ତଥା ପାର୍ଟି ଲାଗି ସବୁଠୁ ବଡ଼ କ୍ଷତି ବୋଲି ବୁଝା ଯିବ।

୧୦ ବର୍ଷ ପୂର୍ବେ ମମତା ପ୍ରଥମ ଥର ରାଜ୍ୟ ଶାସନର ଡୋରୀ ସମ୍ଭାଳିବା ବେଳେ ପଶ୍ଚିମବଙ୍ଗ ଋଣ ବୋଝ ତଳେ ଦବି ଯାଇଥିଲା। ତେବେ ମିତ୍ରଙ୍କ ସହଯୋଗ ଯୋଗୁ ମୁଖ୍ୟମନ୍ତ୍ରୀ କେବଳ ରାଜ୍ୟର ଋଣ ପରିଚାଳନା ନୁହେଁ ସରକାରଙ୍କ ସବୁ କଲ୍ୟାଣମୂଳକ ଯୋଜନାର ମଧ୍ୟ ସଫଳ ରୂପାୟନ କରିପାରିଥିଲେ। ଏଥିଲାଗି ଅମିତଙ୍କ ନେତୃତ୍ୱରେ ଅର୍ଥମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ରାଜସ୍ୱ ଆବଶ୍ୟକତା ମଧ୍ୟ ପୂରଣ କରିଚାଲିଥିଲେ। ସେହିପରି କେନ୍ଦ୍ର ସରକାର ଜିଏସଟି ଲାଗୁ କରିବା ବେଳେ ପଶ୍ଚିମବଙ୍ଗରେ ନୂଆ କରି ଆଇନ କାର୍ଯ୍ୟକାରୀ କରିବାରେ ମଧ୍ୟ ମିତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ମିତ୍ରଙ୍କ ନିର୍ବାଚନମଣ୍ଡଳି ଖରଦାହରୁ ତାଙ୍କୁ ନିର୍ବାଚନ ଲଢିବାକୁ ନିବେଦନ କରାଯିବ। ଯଦି ସେ ରାଜି ହୁଅନ୍ତି ତେବେ ତାଙ୍କୁ କେବଳ ଥରକ ଲାଗି ରାଲିରେ ଯୋଗ ଦେବାକୁ ପଡିବ। ବାକି ପ୍ରଚାର ଦାୟିତ୍ୱ ପାର୍ଟି ତୁଲାଇବ ବୋଲି ଜନୈକ ଦଳୀୟ କାର୍ଯ୍ୟକର୍ତ୍ତା କହିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଏହି ଆସନରୁ ତୃଣମୂଳ କାଜଲ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲା। ନିର୍ବାଚନରେ ସେ ବିଜୟୀ ମଧ୍ୟ ହୋଇଥିଲେ। ତେବେ ପ୍ରଚାର କାଳରେ କୋଭିଡରେ ଆକ୍ରାନ୍ତ ହେବା ଯୋଗୁ ଫଳାଫଳ ଆସିବା ପୂର୍ବରୁ ତାଙ୍କର ପରଲୋକ ହୋଇଥିଲା। ଏଣୁ ଆସନଟି ରିକ୍ତ ପଡିଛି।

   Related Posts