ଭିଡ଼ ଭିତରେ ମୁହଁରୁ ମାସ୍କ ଓହ୍ଲାଇ ପୂର୍ବତନ ସାଂସଦଙ୍କୁ ପିନ୍ଧାଇଲେ ସିନ୍ଧିଆ, ଭିଡିଓ ଭାଇରାଲ ପରେ ବର୍ଷିଲା କଂଗ୍ରେସ

Published By : Prameya-News7 Bureau | September 23, 2021 IST

ଭୋପାଳ ୨୩/୦୯: କରୋନା ମହାମାରୀ ଭୟ ଏବେ ଥମିନାହିଁ । ଏହାରି ମଧ୍ୟରେ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଭିଡିଓ ଖୁବ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଭିଡ଼ ମଧ୍ୟରେ ସିନ୍ଧିଆ ନିଜ ମୁହଁରୁ ମାସ୍କ ବାହାର କରି ସେଠାରେ ଜଣେ ବ୍ୟକ୍ତିଙ୍କୁ ପିନ୍ଧାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ମଧ୍ୟପ୍ରଦେଶ ଗ୍ବାଲିୟରର ବୋଲି ଜଣାପଡ଼ିଛି। ସିନ୍ଧିଆ ଯାହାଙ୍କୁ ମାସ୍କ ପିନ୍ଧାଉଛନ୍ତି ସେ ଆଉ କେହି ନୁହଁନ୍ତି ବରଂ ଗ୍ବାଲିୟରର ପୂର୍ବତନ ସାଂସଦ ଅରୁଣ ମିଶ୍ର ।

ମିଳିଥିବା ସୂଚନା ଅନୁସାରେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ବାଲିୟରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ଫେରିବା ବେଳେ ଭିଡ଼ ମଧ୍ୟରେ ଅରୁଣ ମିଶ୍ରଙ୍କୁ ସାକ୍ଷାତ କରିଥିଲେ। କିନ୍ତୁ ଅରୁଣ ମାସ୍କ ପିନ୍ଧିନଥିବା ଦେଖିଥିଲେ ସିନ୍ଧିଆ। ଏହା ପରେ ସାଙ୍ଗେ ସାଙ୍ଗେ ନିଜର ମୁହଁରୁ ମାସ୍କ ଓହ୍ଲାଇ ଅରୁଣଙ୍କୁ ପିନ୍ଧାଇ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ଦୁଇଟି ମାସ୍କ ପିନ୍ଧିଥିବା ସିନ୍ଧିଆ ସର୍ଜିକାଲ୍‌ ମାସ୍କକୁ ବାହାର କରି ପୂର୍ବତନ ସାଂସଦଙ୍କ ମୁହଁରେ ଲଗାଇଦେଇଥିଲେ। ସେଠାରେ ଉପସ୍ଥିତ କେହି ଜଣେ ଏହାର ଭିଡିଓ ସୁଟ୍‌ କରିଥିବା କୁହାଯାଉଛି। ଭିଡିଓ ଭାଇରାଲ୍‌ ହେବା ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ଶାସକ ବିଜେପି ରାଲି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି କିନ୍ତୁ କେନ୍ଦ୍ରମନ୍ତ୍ରୀ ବ୍ୟବହୃତ ମାସ୍କ ବଣ୍ଟନ କରୁଛନ୍ତି ବୋଲି କଂଗ୍ରେସ  ଅଭିଯୋଗ ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.