ପୁରୀରେ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍; ଆଜି ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ଭେଟିବେ
21/09/2018 at 11:35 AM

ପୁରୀ ୨୧/୯ : ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ ଆଜି ଭୋରରୁ ଆସି ଶ୍ରୀମନ୍ଦିର ଦର୍ଶନ କରିଛନ୍ତି। ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ଭୋର ପ୍ରାୟ ୫.୩୦ ରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିରର ବିଭିନ୍ନ ପାର୍ଶ୍ୱ ଦେବାଦେବୀ ମନ୍ଦିର ବୁଲିବା ସହ ଶ୍ରୀମନ୍ଦିରର ବ୍ୟବସ୍ଥାବଳୀ ସଂପର୍କରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ଓ କେତେକ ସେବାୟତ ଆମିକସ୍ କ୍ୟୁରୀଙ୍କୁ ଶ୍ରୀମନ୍ଦିର ଦର୍ଶନରେ ସହାୟତା କରିବା ସହ ଶ୍ରୀମନ୍ଦିରର ପୂଜା ନୀତି ସଂପର୍କରେ ଅବଗତ କରିଥିଲେ। ତେବେ ଆମିକସ୍ କ୍ୟୁରୀ ଆଜି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଦିନ ପ୍ରାୟ ୧୧ ଟାରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟଙ୍କ ସହ ଆମିକସ୍ କ୍ୟୁରୀଙ୍କ ସାକ୍ଷାତ ଆଲୋଚନା ହେବ। ପରେଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ଏସପି ଓ ଜିଲ୍ଲା ଜଜଙ୍କ ସହିତ ତାଙ୍କ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।