ଆମେରିକାକୁ ଧମକ ଦେଲା ଅଲକାଏଦା, 'ଯୁଦ୍ଧ ସରିନାହିଁ' : ଲାଡେନର ମୃତ୍ୟୁ ଦିବସରେ ପୁଣି ରକ୍ତପାତ ପାଇଁ ଆତଙ୍କୀ ନେଲେ ଶପଥ

Published By : Prameya-News7 Bureau | May 01, 2021 IST

ନୂଆଦିଲ୍ଲୀ,୦୧/୦୫: ଆଫଗାନିସ୍ତାନ ମାଟିରୁ ଆମେରିକାର ସୈନ୍ୟ ଫେରିବା ପାଇଁ ପ୍ରସ୍ତୁତ ହେଲେଣି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏନେଇ ଘୋଷଣା କରିସାରିଛନ୍ତି । ଏହାମଧ୍ୟରେ ଅଲକାଏଦା ଧମକ ଦେଇଛି । ଆଫଗାନିସ୍ତାନରୁ ବିଦେଶୀ ସୈନ୍ୟ ଫେରିବା ପରେ ବି ଯୁଦ୍ଧ ଶେଷ ହେବ ନାହିଁ ବୋଲି କହିଛି ଏହି ଆତଙ୍କବାଦୀ ସଙ୍ଗଠନ ।

ଅଲକାଏଦାର ମୁଖ୍ୟ ଓସାମା ବିନ୍ ଲାଡେନକୁ ଆମେରିକା ଠିକ୍ ୧୦ ବର୍ଷ ତଳେ ନିପାତ କରିଥିଲା । ଲାଦେନ ମୃତ୍ୟୁର ୧୦ ବର୍ଷ ପୂର୍ତ୍ତି ଅବସରରେ ଅଲକାଏଦା ଏହି ଧମକ ଦେଇଛି । ସଙ୍ଗଠନ ପକ୍ଷରୁ କୁହାଯାଇଚି ଯେ, ଆମେରିକାର ସୈନ୍ୟଙ୍କୁ ଅନ୍ୟ ଇସଲାମିକ ଦେଶରୁ ବାହାର କରାଯିବ । ଏହାସହ ତାଲିବାନ-ଆମେରିକା ଚୁକ୍ତିରୁ ନିଜକୁ ଦୂରରେ ରଖିଛି ଅଲକାଏଦା । ଲଢେଇ ଏବେ ଶେଷ ହେବ ନାହିଁ । ଆମେରିକା ଅନ୍ୟ ଦେଶରୁ ନିଜର ସୈନ୍ୟ ପ୍ରତ୍ୟାହାର ନକରିବା ପାଇଁ ଏହା ଜାରି ରହିବ । ଆଫଗାନିସ୍ତାନରୁ ୟୁଏସ ଆର୍ମୀ ପ୍ରତ୍ୟାହାର ପରେ ପୁଣି ଅଲକାଏଦା ଶକ୍ତିଶାଳୀ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଆତଙ୍କବାଦୀ ସଙ୍ଗଠନ ଆହୁରି କହିଛି ଯେ, ଆମେରିକା ଆଫଗାନ ଭାଇଙ୍କ ପାଇଁ ସମସ୍ୟା ନୁହେଁ । କିନ୍ତୁ ଏଠାରେ ୟୁଏସ ପରାଜୟ ବରଣ କରିଛି । ତାଲିବାନ ଆଫଗାନିସ୍ତାନ ମାଟିକୁ ବିଦେଶୀଙ୍କ ହାତରୁ ରକ୍ଷା କରିଛି । ଅଲକାଏଦା କମାଣ୍ଡାରଙ୍କ କଥାରୁ ଜଣା ପଡୁଛି ଯେ, ତାଲିବାନ ଚୁକ୍ତିର ଖିଲାପ କରିପାରେ । ତାଲିବାନ ଆମେରିକା ଧୋକା ଦେଇପାରେ ।  ଆମେରିକା ହଟିଲେ ଆଫଗାନିସ୍ତାନ ପୁଣି ଇସଲାମିକ ଆତଙ୍କବାଦର କେନ୍ଦ୍ରସ୍ଥଳୀ ହେବାର ସମ୍ଭାବନା ରହିଛି । ଏପରି ଅନ୍ୟ ଆତଙ୍କବାଦୀସଙ୍ଗଠନକୁ ମଧ୍ୟ ଆଗକୁ ବଡିବା ପାଇଁ ସ୍ଥାନ ଦେଇପାରେ । ଯାହା ଚିନ୍ତାଜନକ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.