ଆମେରିକା ସଂସଦ ପରିସରରେ ଟ୍ରମ୍ପ୍ ସମର୍ଥକଙ୍କ ଲଙ୍କାକାଣ୍ଡ : ପୋଲିସ ଗୁଳିରେ ଜଣେ ମହିଳା ମୃତ, ଓ୍ୱାଶିଂଟନରେ ସନ୍ଧ୍ୟା ଯାଏଁ କର୍ଫ୍ୟୁ
7/01/2021 at 8:03 AM

ନ୍ୟୁୟର୍କ, ୦୭।୦୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶରେ ଉତ୍ତେଜନା ଜାରି ରହିଛି । ଦେଶରେ ଲଗାତର ଭାବେ ନିର୍ବାଚନ ଫଳପଳକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି । ରାଷ୍ଟ୍ରପତି ଟ୍ରମ୍ପ୍ ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣୁଛନ୍ତି । ହ୍ୱାଇଟ ହାଉସ ଓ କ୍ୟାପିଟୋଲ୍ ବିଲ୍ଡିଂ ଆଗରେ ଟ୍ରମ୍ପ୍ ସମ୍ପର୍ଥକଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ଉଭୟ ସ୍ଥଳରେ ପୋଲିସ ସହ ଧସ୍ତାଧସ୍ତି ହେବାର ମଧ୍ୟ ଖବର ରହିଛି । ତେବେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଓ୍ୱାସିଂଟନ ଡିସିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି । ଏପରିକି ହଙ୍ଗାମା ସ୍ଥଳରେ ହୋଇଥିବା ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଏତତ୍ ବ୍ୟତୀତ ଟ୍ରମ୍ପଙ୍କ ସମର୍ଥକମାନେ ପୋଲିସ ଉପରେ କିଛି ରସାୟନିକ ଦ୍ରବ୍ୟ ଫିଙ୍ଗିଛନ୍ତି । ଏଥିରେ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି । ପୋଲିସ ମଧ୍ୟ ଏହାର ଜବାବ ଦେବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଏସବୁ ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି । ହ୍ୱାଇଟ୍ ହାଉସର ପ୍ରେସ୍ ସେକ୍ରେଟାରୀ କହିଛନ୍ତି ଯେ, ଟ୍ରମ୍ପଙ୍କ ନିର୍ଦ୍ଦେଶରେ ନ୍ୟାଶନାଲ ଗାର୍ଡ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ସୁରକ୍ଷା ଦୃଷ୍ଟିରୁ କ୍ୟାପିଟୋଲ ବିଲ୍ଡିଂକୁ ବନ୍ଦ କରିଦିଆଯାଇଛି ।
ନବ ନିର୍ବାଚିତ ରାଷ୍ଚ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ, ଟ୍ରମ୍ପ ସମ୍ବିଧାନକୁ ରକ୍ଷା କରନ୍ତୁ । କ୍ୟାପିଟୋଲ ବିଲ୍ଡିଂରେ ହିଂସା କରିବା ଠିକ୍ ନୁହେଁ । ଏହା ରାଜଦ୍ରୋହ ଅଟେ । ଏତତ୍ ବ୍ୟତୀତ କମଲା ହାରିସ ମଧ୍ୟ ଟ୍ରମ୍ପ ନିଜ ସମର୍ଥକଙ୍କୁ ବୁଝାନ୍ତୁ ବୋଲି କହିଛନ୍ତି । ଅନ୍ୟ ଦିଗରେ ଟ୍ୱିଟର୍ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ଯାଏଁ ଲକ୍ କରିଦେଇଛି ।