୩୭୦ ଧାରା ଉଚ୍ଛେଦ ପରେ ଆସିଲା ଆମେରିକାର ପ୍ରଥମ ବୟାନ : ବିଲକୁଲ ନେଲା ନାହିଁ ପାକିସ୍ତାନର ନାଁ…

Published By : Prameya-News7 Bureau | August 06, 2019 IST

ନୂଆଦିଲ୍ଲୀ ୬/୮: ଭାରତ ସରକାରଙ୍କ କାଶ୍ମୀରରେ ୩୭୦ଧାରା ଉଚ୍ଛେଦ କରିବା ଏବଂ ଜାମ୍ମୁ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ କରିବା ନିଷ୍ପତ୍ତିରେ ବିଶ୍ବର ଅଧିକାଂଶ ଦେଶ ଏବେ ଯାଏଁ ଚୁପ୍‌ ରହିଛନ୍ତି। କିନ୍ତୁ ଆମେରିକା ତରଫରୁ ଏ ପ୍ରସଂଗରେ ପ୍ରଥମ ବୟାନ୍ ଆସିସାରିଛି। ଆମେରିକା ଭାରତର ଏହି ପଦକ୍ଷେପ ଉପରେ ନଜର ରଖିଥିବା କଥା କହିଛି। କିନ୍ତୁ ଖାସ୍ କଥା ହେଉଛି ଏହା ଯେ ଆମେରିକା ଦେଇଥିବା ବୟାନରେ ସେ ପାକିସ୍ତାନ ବିଷୟରେ କିଛି କହିନାହିଁ। ଆମେରିକା ଗତକାଲି କହିଛି ଯେ ଭାରତ ସରକାର ଦ୍ବାରା ୩୭୦ ଉଚ୍ଛେଦ କରାଯିବା ପରେ ଜାମ୍ମୁ କାଶ୍ମୀରରେ ଘଟଣା ଉପରେ ନଜର ରଖାଯିବ । ଏହା ସହିତ ସେ ଉଭୟ ପକ୍ଷ ଏଲଓସିରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ ଅପିଲ କରାଯାଇଛି।

ଆମେରିକାର ବିଦେଶ ମନ୍ତ୍ରାଳୟର ମୁଖ୍ୟ ମୋର୍ଗନ୍ ଓର୍ଟୋଗସ୍ ପାକିସ୍ତାନ ନାଁ ନନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସେ ଏଲଓସିରେ ସମସ୍ତ ପକ୍ଷରୁ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ ଆବେଦନ କରିଛନ୍ତି। ଜାମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ସମାପ୍ତ କରାଯିବା ପ୍ରସଙ୍ଗରେ ପଚରାଯିବାରୁ ସେ କହିଥିଲେ ସେ ଜାମ୍ମୁ କାଶ୍ମୀରର ଘଟଣା ଉପରେ ନଜର ରଖିଛନ୍ତି।

ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଆମେରିକା ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା କାଶ୍ମୀର ବିବାଦରେ ମଧ୍ୟସ୍ଥି କରିବାକୁ ନିବେଦନ କରିଥିଲେ ଏବଂ ଟ୍ରମ୍ପ ଏହାପରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କଠୁ ଏପରି ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ଟ୍ରମ୍ପଙ୍କୁ ମଧ୍ୟସ୍‌ଥତା କରିବା ପାଇଁ ଭାରତ କେବେ ଅନୁରୋଧ କରିନଥିବା ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.