ଭାରତର ଏହି ଔଷଧ ଉପରେ ଆମେରିକାର ନଜର, ସରକାର ଉପ୍ତାନୀ ଉପରେ ଲଗାଇଲେ ରୋକ୍

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ ୦୫।୦୪: ସରକାର ମାଲେରିଆ ରୋଗର ଚିକିତ୍ସାରେ ବ୍ୟବହାର  ହେଉଥିବା ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସହିତ ବିଶେଷ ଆର୍ଥିକ କ୍ଷେତ୍ରର ୟୁନିଟ(ସେଜ୍)କୁ ମଧ୍ୟ ପ୍ରତିବନ୍ଧକର ପରିସରଭୁକ୍ତ କରିଛି। ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି ଯେବେ ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଔଷଧ ଯୋଗାଇ ଦେବାକୁ କହିଥିଲେ।

ସରକାର ଦେଶରେ କରୋନା ଭାଇରସ୍ ସଂକ୍ରମଣ କାରଣରୁ ପରିସ୍ଥିତି ବିଗିଡିବା ଆଶଙ୍କାକୁ ଦୃଷ୍ଟିରେ ରଖି ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି, ଯଦ୍ଵାରା ଦେଶରେ ଜରୁରୀକାଳୀନ ଔଷଧର ଅଭାବ ନରହେ। ବୈଦେଶିକ ବ୍ୟାପାର ମହା ନିର୍ଦ୍ଦେଶାଳୟର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ହାଇଡ୍ରୋକ୍ସି କ୍ଲୋରୋକୁଇନ ତଥା ଏଥିରେ ନିର୍ମିତ ଅନ୍ୟ ଔଷଧର ରପ୍ତାନୀ ଏବେ କୌଣସି ପ୍ରକାରେ  ହୋଇ ପାରିବ ନାହିଁ। ଏପରିକି ଏହି ଔଷଧର ରପ୍ତାନୀକୁ ପୂର୍ବର ମଞ୍ଜୁରୀ ଦିଆଯାଇଥିଲେ କିମ୍ବା ଅର୍ଥ ପୈଠ କରିଥିଲେ ମଧ୍ୟ ରପ୍ତାନୀ କରାଯାଇ ପାରିବ ନାହିଁ।

ଉଲ୍ଲେଖନୀୟ ସୀମା ଶୁଳ୍କ ନିୟମ ମାମଲାରେ ସେଜକୁ ବିଦେଶୀ ସଂସ୍ଥା କୁହାଯାଏ। ଏହି କାରଣରୁ ରପ୍ତାନୀ ଉପରେ ଆଦେଶ ସାଧାରତଣଃ ସେଜ୍ ଉପରେ ଲାଗୁ ହୁଏ ନାହିଁ। କିନ୍ତୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଧର ରପ୍ତାନୀ ପାଇଁ ସେଜ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ସରକାର ଘରୋଇ ବଜାରରେ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନର ରପ୍ତାନୀ ଉପରେ ରୋକ୍ ଲଗାଇବାକୁ ମାର୍ଚ୍ଚ ୨୫ରେ ଘୋଷଣା କରିଥିଲେ। ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.