ଆମେରିକୀୟ ବୈଜ୍ଞାନିକଙ୍କ ଦାବି- ପ୍ରସ୍ତୁତ କରିଛନ୍ତି କରୋନା ଭାଇରସ୍‌ର ଔଷଧ

Published By : Prameya-News7 Bureau | April 02, 2020 IST

ଓ୍ବାଶିଂଟନ୍ ୨।୪: ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ପାଣ୍ଡେମିକ୍ ସହ ଆଲୋଚନା କରିବା ପାଇଁ ଆସିଥିବା ଆମେରିକୀୟ ବୈଜ୍ଞାନିକ କହିଛନ୍ତି ଯେ ତାଙ୍କ ଟିମ୍ କରୋନା ଭାଇରସ୍ ର ଚିକିତ୍ସା ପାଇଛନ୍ତି । ଡକ୍ଟର ଯାଦବ ଗ୍ଲାନଭିଲେ ପ୍ରକାଶ କରିଛନ୍ତି ଯେ, SARS ସୃଷ୍ଟି କରୁଥିବା ଭାଇରସ୍ ବିରୋଧରେ ବ୍ୟବହୃତ କରାଯାଇଥିବା କେତେକ ଆଣ୍ଟିବଡିର ବ୍ୟବହାର କରି ସେ ଏହି ସଫଳତା ହାସଲ କରିଛନ୍ତି ।

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କାଲିଫର୍ଣ୍ଣିଆରେ ରହୁଥିବା ଜଣେ ଡାକ୍ତର ତଥା ଡିଷ୍ଟ୍ରିବ୍ୟୁଟେଡ୍ ବାୟୋର ସିଇଓ ଡକ୍ଟର ଜ୍ୟାକବ ଗ୍ଲାନଭିଲେ କହିଛନ୍ତି ଯେ, ଏହା କହିବାକୁ ଅତ୍ୟନ୍ତ ଖୁସିର ବିଷୟ ଯେ ଇଞ୍ଜିନିୟରିଂ କାମ ଶେଷ ହୋଇଛି । ବର୍ତ୍ତମାନ ଆମ ନିକଟରେ ଏକ ପ୍ରଭାବଶାଳୀ ଆଣ୍ଟିବଡି ଅଛି ଯାହା କରୋନା ବିରୋଧରେ କାମ କରିପାରିବ ।

ରେଡିଓ ନ୍ୟୁଜିଲ୍ୟାଣ୍ଡ ସହ କଥାବାର୍ତ୍ତା କରିବା ସମୟରେ ବୈଜ୍ଞାନିକ କହିଛନ୍ତି ଯେ ତାଙ୍କ ଟିମ୍ SARS ବିରୋଧରେ ୨୦୦୨ରେ ବ୍ୟବହୃତ ୫ଟି ଆଣ୍ଟିବଡି ବ୍ୟବହାର କରିଥିଲେ । ଏହି ଆଣ୍ଟିବଡି ମାଧ୍ୟମରେ ସେ କରୋନା ଭାଇରସ୍ (COVID-19) ର ଚିକିତ୍ସା ପଦ୍ଧତି ଖୋଜିବାକୁ ଚେଷ୍ଟା କରିଛନ୍ତି । SARS-CoV-2 ଏବଂ COVID-19 ସମାନ ଶ୍ରେଣୀର ଭାଇରସ୍ ।

ଆମେରିକୀୟ ବୈଜ୍ଞାନିକ କହିଛନ୍ତି ଯେ ଏପର୍ଯ୍ୟନ୍ତ ସେମାନେ ଆଣ୍ଟିବଡି ଲକ୍ଷ ଲକ୍ଷ ଭର୍ସନ ପ୍ରସ୍ତୁତ କରିଛନ୍ତି । ସେଗୁଡିକ ମ୍ୟୁଟେଟ୍ ମଧ୍ୟ କରାଯାଇଛି । ନୂତନ ଆଣ୍ଟିବଡିର ପରୀକ୍ଷଣ ମନୁଷ୍ୟ ଶରୀରରେ କରାଯିବା ପରେ ଏହାକୁ କରୋନା ଭାଇରସ୍ ବିରୋଧରେ ବ୍ୟବହାର କରାଯାଇପାରିବ । ପରୀକ୍ଷଣ ସଫଳ ହେବା ପରେ ଏହାକୁ ସରକାରୀ ଏଜେନ୍ସିକୁ ଅନୁମୋଦନ ପାଇଁ ପଠାଯାଇପାରିବ ।

ଡକ୍ଟର ଜ୍ୟାକବ ଗ୍ଲାନଭିଲେ କହିଛନ୍ତି ଯେ, ଏହି ଆଣ୍ଟିବଡିଗୁଡିକ ଏସ-ପ୍ରୋଟିନ୍ସକୁ ବାନ୍ଧନ୍ତି ଯାହା ମାଧ୍ୟମରେ କରୋନା ଭାଇରସ୍ ଶରୀରରେ ପ୍ରବେଶ କରେ । ସେ କହିଛନ୍ତି ଯେ ସମସ୍ତ ରିସର୍ଚ୍ଚ ଆରମ୍ଭ କରିବା ପରେ ଆଣ୍ଟିବଡି ପ୍ରସ୍ତୁତ କରିବାକୁ ଅଧିକ ସମୟ ଲାଗିପାରେ, ତେଣୁ ସେ ପୂର୍ବରୁ ବ୍ୟବହୃତ ଆଣ୍ଟିବଡି ବ୍ୟବହାର କରିଛନ୍ତି ।

ଯଦି ଏହି ଆଣ୍ଟିବଡି ପରୀକ୍ଷା ସଫଳ ହୁଏ, ତେବେ ଏହାକୁ ସ୍ବଳ୍ପ ସମୟ ପାଇଁ ବ୍ୟବହାର କରାଯାଇପାରିବ । ପ୍ରକୃତ ଟୀକା ଲୋକଙ୍କୁ ଜୀବନବ୍ୟାପି ସୁରକ୍ଷା ଦେଇଥାଏ, କିନ୍ତୁ ଏକ ସ୍ବଳ୍ପକାଳୀନ ଟୀକା ୧୦ ବର୍ଷ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇପାରେ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ବରେ ୯,୩୫,୯୫୭ ଲୋକ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି । ଏହାଦ୍ବାରା ୪୭,୨୪୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ସେହିଭଳି ଭାରତରେ ୧୯୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୫୮ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.