ଶପଥ ପୂର୍ବରୁ ୧୩୮ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କଲେ ଜୋ ବାଇଡେନ୍, ପ୍ରତ୍ୟେକ ଆମେରିକୀୟଙ୍କୁ ମିଳିବ ୩୦ ହଜାର

Published By : Prameya-News7 Bureau | January 15, 2021 IST


ୱାଶିଂଟନ୍,୧୫/୦୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ରୂପେ ଶପଥ ନେବାକୁ ଯାଉଛନ୍ତି । କିନ୍ତୁ ଏହା ପୂର୍ବରୁ ସେ ନିର୍ବାଚନବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଆଜି ଘୋଷଣା କରିଛନ୍ତି । କରେନା କାରଣରୁ ଗଭୀର ଭାବେ ପ୍ରଭାବିତ ହୋଇଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ବାଟକୁ ଆଣିବା ପାଇଁ ସେ ୧.୯ ଟ୍ରିଲିୟନ୍ ଡଲାରର ବା ୧୩୮ ଲକ୍ଷ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି।


ଏହି ପ୍ୟାକେଜ୍ ଆମେରିକାର ଦୁଇ ସଂସଦରେ ପାସ୍ ହେବା ପରେ ଲାଗୁ କରାଯିବ। ଯଦି ଏହି ପ୍ୟାକେଜ୍ ପାରିତ ହୋଇଯାଏ ତେବେ ପ୍ରତ୍ୟେକ ଆମେରିକୀୟଙ୍କୁ ୧ ହଜାର ୪ ଶହ ଡଲାର ବା ପାଖାପାଖି ୩୦ ହଜାର ଟଙ୍କା ଲେଖାଁଏ ମିଳିବ । ଏହା ଛଡ଼ା ବାଇଡେନ୍ଙ୍କ ପ୍ୟାକେଜ୍ରେ ଛୋଟ ବ୍ୟବସାୟୀଙ୍କୁ ରିହାତି ପ୍ରଦାନ କରାଯିବ । ଏହି ପ୍ଲାନ୍କୁ ଆମେରିକା ରେସ୍କ୍ୟୁ ପ୍ଲାନ୍ ବୋଲି କୁହାଯାଉଛି ।


ପ୍ଲାନ୍ ଅନୁସାରେ ପ୍ୟାକେଜ୍ର ଅର୍ଥକୁ ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ବଣ୍ଟା ଯାଇଛି । ଏଥିରେ ୪୧୫ ବିଲିୟନ୍ ଡଲାର କରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ । ୧୪୦୦ ଡଲାର ପ୍ରତ୍ୟେକ ଆମେରିକା ବାସୀଙ୍କ ବ୍ୟାଙ୍କ ଖାତାକୁ ଯିବ ଏବଂ ୪୪୦ ଡଲାର କ୍ଷୁଦ୍ର ବ୍ୟବସାୟରେ ସୁଧାର ଆଣିବା ପାଇଁ ଖର୍ଚ୍ଚ କରିଯିବ । ଏହାଛଡ଼ା ପ୍ରତି ଘଣ୍ଟା ହିସାବରେ କର୍ମଚାରୀଙ୍କୁ ନ୍ୟୁନତମ ୧୫ ଡଲାରର ଦରମା ଦିଆଯିବ ।


ତେବେ ଏହି ପ୍ୟାକେଜ୍କୁ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ସିନେଟ୍ରେ ପାରିତ ହେବାକୁ ସହଜରେ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଛି। କାରଣ ଟ୍ରମ୍ପ ଯେତେବେଳେ ରିଲିଫ୍ ପ୍ୟାକେଜ୍ର ଘୋଷଣା କରିଥିଲେ ସେତେବେଳେ ଡେମୋକ୍ରାଟିକ୍ ପାର୍ଟି ବିଭିନ୍ନ ପ୍ରଶ୍ନ ଉଠାଇଥିଲା । ଏହାଛଡ଼ା ଏହି ପ୍ୟାକେଜ୍ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ କିଛି ବ୍ୟବସ୍ଥା ନଥିବାରୁ ବିଲ୍ ସହଜରେ ପାସ୍ ହେବ ନାହିଁ ବେଲି ଜଣାପଡ଼ୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.