ଟ୍ରମ୍ପଙ୍କ ଅଜବ ବୟାନ : କହିଲେ-ଦେଶରେ ସଂକ୍ରମଣ ସଂଖ୍ୟା ଅଧିକ ନେଇ ସେ ଚିନ୍ତିତ ନୁହନ୍ତି, ଟେଷ୍ଟିଙ୍ଗ୍ ଡାଟାରେ ଖୁସ୍
20/05/2020 at 6:10 PM

ୱାସିଂଟନ ୨୦/୦୫ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାକୁ ନେଇ ଏକ ଅଜବ ବୟାନ ଦେଇଛନ୍ତି | ସେ କହିଛନ୍ତି ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ସମ୍ମାନର କଥା | ହ୍ୱାଇଟ ହାଉସରେ ସେ ମଙ୍ଗଳବାର ଦିନ କହିଥିଲେ ଯେ, ‘ଯେତେବେଳେ ସାରା ଦୁନିଆ କୁହେ ଯେ ସଂକ୍ରମଣ ମାମଲାରେ ଆମେରିକା ସବୁଠାରୁ ଆଗରେ ରହିଛି ସେତେବେଳେ ଆମକୁ ଖରାପ ଲାଗିନଥାଏ | ଏହାର ଅର୍ଥ ହେଲା ଆମେରିକା ଅନ୍ୟ ଦେଶ ତୁଳନାରେ ଅଧିକ ନମୁନା ପରୀକ୍ଷା କରୁଛି | ଏହା ଭଲ କଥା | କାରଣ ଏହା ଦ୍ୱାରା ଜଣାପଡୁଛି ଯେ ଆମର ପରୀକ୍ଷା ଉଚ୍ଚ ମାନର | ଏହାକୁ ମୁଁ ସମ୍ମାନ ଭାବେ ଗ୍ରହଣ କରିବି |’
ଜନ୍ସ ହପକିନ୍ସ ୟୁନିଭର୍ସିଟି ଅନୁଯାୟୀ, ଆମେରିକାରେ ଏବେ ସୁଦ୍ଧା ୧୫ ଲକ୍ଷ ୭୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି | ଆମେରିକାରେ ବର୍ତ୍ତମାନ ସୁଦ୍ଧା ୯୩ ହଜାରରୁ ଅଧିକ ମୃତ୍ୟୁ ହୋଇସାରିଛି | ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଅଛି ଋଷ | ଋଷରେ ପାଖାପାଖି ୩ ଲକ୍ଷ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି |
ଡେମୋକ୍ରାଟିକ୍ ନ୍ୟାସନାଲ କମିଟି ଟ୍ରମ୍ପଙ୍କ ଏହି ବୟାନକୁ ନିନ୍ଦା କରିଛନ୍ତି | କମିଟି ଟ୍ୱିଟ କରି କହିଛି ଯେ, ଦେଶରେ ୧୦ ଲକ୍ଷରୁ ଅଧିକ ସଂକ୍ରମଣ ହେବା ନିଶ୍ଚୟ ଦେଶର ଲିଡରସିପର ବିଫଳତାକୁ ଦର୍ଶାଉଛି | ଏହା ପୂର୍ବରୁ ଗତ ସପ୍ତାହରେ ସିନେଟ ବୈଠକରେ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠିଥିଲା | ରିପବ୍ଲିକ ପାର୍ଟି ସାଂସଦ ମିଟ ରମଗ୍ନୀ କହିଥିଲେ ଯେ, ଦେଶରେ କରୋନା ନମୁନା ପରୀକ୍ଷା ରେକର୍ଡ ଭଲ ନାହିଁ | ଫେବୃଆରୀ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ଆରମ୍ଭ ହୋଇଥିଲା | ସେ ହିସାବରେ ଦେଖିବାକୁ ଗଲେ ଏବେ ସୁଦ୍ଧା ପର୍ଯ୍ୟାପ୍ତ ନମୁନା ପରୀକ୍ଷା ହୋଇନାହିଁ | ସେଥିପାଇଁ ଏଥିରେ ଖୁସି ହେଲା ଭଳି କୌଣସି କଥା ନାହିଁ |
ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଅନୁସାରେ, ମଙ୍ଗଳବାର ସୁଦ୍ଧା ଆମେରିକାରେ ୧ କୋଟି ୬୦ ଲକ୍ଷ ନମୁନା ପରୀକ୍ଷା ହୋଇଛି | କିନ୍ତୁ ଅକ୍ସଫୋର୍ଡ ୟୁନିଭର୍ସିଟି ଆଧାରିତ ଏକ ସାଇଣ୍ଟିଫିକ ପବ୍ଲିକେସନ ଅନୁଯାୟୀ, ଆମେରିକାରେ କେଣ୍ଟ ଟେଷ୍ଟିଙ୍ଗ ଆଧାର ବହୁତ ପଛରେ ରହିଛି | ପ୍ରତ୍ୟେକ ୧ ହଜାର ଲୋକଙ୍କ ଟେଷ୍ଟିଙ୍ଗ ମାମଲାରେ ଆମେରିକା ବିଶ୍ୱର ୧୬ତମ ସ୍ଥାନରେ ରହିଛି |ଏହି ତାଲିକାରେ ଆମେରିକା ଆୟାରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଋଷ, କାନାଡ଼ା ଭଳି ଦେଶ ଠାରୁ ପଛରେ ରହିଛି | ଗତ ସପ୍ତାହେ ମଧ୍ୟରେ ଦେଶରେ ପ୍ରତ୍ୟେକ ଦିନ ୩ ରୁ ୪ ଲକ୍ଷ ନମୁନା ପରୀକ୍ଷା ହୋଇଛି | ହାର୍ବାର୍ଡ ଗ୍ଲୋବାଲ ହେଲ୍ଥ ଇନଷ୍ଟିଚ୍ୟୁଟ ଅନୁଯାୟୀ, ଆମେରିକାକୁ ନିଜର ଅର୍ଥ ବ୍ୟବସ୍ଥା ପୁଣି ଆରମ୍ଭ କରିବାକୁ ଦିନକୁ ଅତିକମରେ ୫୦ ହଜାର ପରୀକ୍ଷା କରିବା ଆବଶ୍ୟକ |