ମହାମାରୀରେ ମାଲାମାଲ ଆମେରିକୀୟ କୋଟିପତି, ରୋଜଗାର କରିଛନ୍ତି ୭୩ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦/୧୧ : କରୋନା ମହାମାରୀ ସମୟରେ ସାରା ବିଶ୍ବର ଅର୍ଥନୀତି ଦୋହଲି ଯାଇଛି । ମୁଣ୍ଡଟେକି ଛିଡାହେବା ପାଇଁ ବିଭିନ୍ନ ପ୍ରକ୍ରିୟା ଜାରିୁ ରହିଛି । ଏହାରି ମଧ୍ୟରେ କିନ୍ତୁ ଆମେରିକାର ବିଲିୟନେୟାରମାନଙ୍କ ସାମୂହିକ ସମ୍ପତ୍ତି ପ୍ରଚୁର ମାତ୍ରାରେ ବୃଦ୍ଧି ପାଇଛି । ଇନଷ୍ଟିଚ୍ୟୁଟ୍ ଫର ପଲିସି ଷ୍ଟଡିଜ୍ ଠାରେ ଚକ୍ କଲିନ୍ସଙ୍କ ଦ୍ବାରା ହୋଇଥିବା ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ଆମେରିକୀୟ ବିଲିୟନେୟାରମାନେ ସେମାନଙ୍କର ସମ୍ପତ୍ତି ଚଳିତ ବର୍ଷ ମାର୍ଚ୍ଚରୁ ଏକ ଟ୍ରିଲିୟନ ଡଲାର ବୃଦ୍ଧି ପାଇଛି । ଅର୍ଥାତ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୭୩ ଲକ୍ଷ ୯୦ ହଜାର କୋଟି ଟଙ୍କା । ସେମାନଙ୍କର ମୋଟ ସମ୍ପତ୍ତିର ପାଖାପାଖି 34 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ୨୦୦୮ ମସିହାରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ସମୟରେ ପ୍ରାୟ ୪ଶହ ଧନୀ ତାଙ୍କର କ୍ଷତି ଭରଣା କରିବା ପାଇଁ ୩ ବର୍ଷ ସମୟ ଲାଗିଥିଲା ।

ଇନଷ୍ଟିଚ୍ୟୁଟ୍ ଫର୍ ପଲିସି ଷ୍ଟଡିଜ୍ (ଆଇପିଏସ୍) ର ରିପୋର୍ଟରୁ ଜଣାପଡିଛି ଯେ ମାର୍ଚ୍ଚ ମାସରୁ ଆମାଜନର ସିଇଓ ଜେଫ୍ ବେଜୋସଙ୍କ ସମ୍ପତ୍ତି ୭୦.୭ ବିଲିୟନ ଡ଼ଲାର୍ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ କରୋନା ମହାମାରୀରେ ତାଙ୍କ କମ୍ପାନୀର ପ୍ରାୟ ୨୦ ହଜାର କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସବୁଠାରୁ ଅଧିକ ଅଭିବୃଦ୍ଧି ଘଟିଛି ଏଲୋନ୍ ମସ୍କଙ୍କର । ମହାମାରୀ ଆରମ୍ଭରୁ ଏଯାଏଁ ପ୍ରାୟ ୧୦୦ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି । ମାର୍ଚ୍ଚ ୧୮ ରେ ୨୪.୬ ବିଲିୟନ ଡ଼ଲାରରୁ ୨୪ ନଭେମ୍ବରରେ ୧୨୬ ବିଲିୟନ ଡ଼ଲାରରେ ପହଞ୍ଚିଛି ।

ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ମଧ୍ୟ ୪୭.୮ ବିଲିୟନ ଡ଼ଲାର ବୃଦ୍ଧି ପାଇଛି, ମାର୍ଚ୍ଚ ୧୮ରେ ୫୪.୭ ବିଲିୟନ ଡ଼ଲାରରୁ ନଭେମ୍ବର ୧୭ ରେ ୧୦୨.୪ ବିଲିୟନ ଡ଼ଲାରରେ ପହଞ୍ଚିଛି । ଯେଉଁମାନଙ୍କ ସମ୍ପତ୍ତି ଗତ କିଛି ମାସ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ସେମାନଙ୍କ ମଧ୍ୟରେ କ୍ୱିକେନ୍ ଲୋନ୍ସର ଚେୟାରମ୍ୟାନ୍ ଡାନ୍ ଗିଲବର୍ଟ ଅଛନ୍ତି  । ମାର୍ଚ୍ଚରେ ୬.୫ ବିଲିୟନ ଡ଼ଲାରରୁ ୨୦୨୦ ନଭେମ୍ବର ୨୪ ସୁଦ୍ଧା ୪୩.୯ ବିଲିୟନ ଡ଼ଲାରରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.