ନଭେମ୍ବର ୧ ସୁଦ୍ଧା ଆମେରିକାରେ ବଣ୍ଟାଯିବ କୋଭିଡ-୧୯ ଭାକସିନ୍, ବିଭିନ୍ନ ରାଜ୍ୟକୁ କହିଛି ହ୍ୱାଇଟ୍ ହାଉସ୍

Published By : Prameya-News7 Bureau | September 03, 2020 IST

ନ୍ୟୁୟର୍କ, ୦୩|୦୯ : ଆମେରିକା ସରକାର ନିଜ ଦେଶର ନାଗରିକଙ୍କୁ ଭାକସିନ୍ ଦେବାକୁ ପ୍ରସ୍ତୁତ ହେଲେଣି । କିପରି ସମସ୍ତ ନାଗରିକଙ୍କୁ ଭାକସିନ୍ ଦିଆଯିବ ଏଥିପାଇଁ ଆବଶ୍ୟକୀୟ ରୂପରେଖ ଡୂଡାନ୍ତ କରିବାକୁ ମଧ୍ୟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୧ ଅର୍ଥାତ ରାଷ୍ଟ୍ରପତି ନିର୍ବାଚନର ଦୁଇ ଦିନ ପୂର୍ବରୁ ଭାକସିନ୍ ପ୍ରଦାନ କରାଯିବ ବୋଲି ସରକାର ସଙ୍କେତ ଦେଇଛନ୍ତି ।

ଏଥିପାଇଁ ୟୁଏସ ସରକାର ଡଲାସ ଭିତ୍ତିକ ବ୍ୟବସାୟୀ ମ୍ୟାକେସନକୁ ଦାୟିତ୍ୱ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଭାକସିନ୍ ସେଣ୍ଟର ଖୋଲାଯିବ ।

ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନର ନିର୍ଦ୍ଦେଶକ କହିଛନ୍ତି ଯେ, ଭାକସିନକୁ ମଞ୍ଜୁରି ଦେବାକୁ ଅଧିକ ସମୟ ଲାଗିବ । ଯାହା ସବୁଠାରୁ ବଡ ଅସୁବିଧା । ତେବେ ମଞ୍ଜରି ପ୍ରଦାନ ପାଇଁ ବିଳମ୍ବ ନହେବା ଆବଶ୍ୟକ ।

ସିଡିସି ବିଭିନ୍ନ ରାଜ୍ୟକୁ କିପରି ଭାବେ ଭାକସିନ୍ ପ୍ରଦାନ କରାଯିବ ସେସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବେ । ତେବେ ଏହି ଭାକସିନକୁ ଲାଇସେନ୍ସ ମିଳିବା ପରେ ପ୍ରଦାନ କରାଯିବ କିମ୍ବା ଜରୁରୀକାଳିନ ସ୍ଥିତି ପାଇଁ  ତ୍ୱରିତ୍ ପ୍ରଦାନ କରାଯିବ ସେନେଇ ସ୍ପଷ୍ଟ ହୋଇନାହିଁ । ତେବେ ନାଗରିକଙ୍କୁ ଦ୍ୱିତୀୟ ଡୋଜ୍ ଦେବା ଆବଶ୍ୟକ । ପ୍ରଥମ ଡୋଜର କିଛି ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯିବ ।

ଆମେରିକା ସରକାର ମାଗଣାରେ ଏହି ଟିକାକରଣ ଆରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ନ୍ୟୁୟର୍କ ସିଟି, ଚିକାଗୋ, ହୋଷ୍ଟନ, ଫିଲାଡେଲଫିଆ ଓ ସାନ୍ ଆଣ୍ଟୋନିଓରେ ଟିକାକରଣ ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ସ୍ୱାସ୍ଥ୍ୟକର୍ମୀ, ଜାତୀୟ ସୁରକ୍ଷାରେ ନିୟୋଜିତ ଅଫିସର, ଯବାନ, ବରିଷ୍ଠ ନାଗରିକଙ୍କୁ ପ୍ରଥମେ ଟିକା ଦିଆଯିବ । ଏନେଇ ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି ।

ତିନୋଟି ସଂସ୍ଥା ଭାକସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ କରିଦେଲେଣି । ଯେଉଁଥିରେ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି । ଏହି ତିନୋଟି ସଂସ୍ଥା ହେଲେ ଆଷ୍ଟ୍ରାଜେନକା, ମୋଡରେନା ଓ ଜିଫର୍ ବାଓଏନ୍ ଟେକ୍ । ୟୁଏସ ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଏହି ଭାକସିନର କ୍ଲିନିକାଲ ଟ୍ରଏଲ ପରେ ଜରୁରୀକାଳିନ ସ୍ଥିତି ପାଇଁ ତ୍ୱରିତ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ସମ୍ଭାବନା ଥିବା ପ୍ରକାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.