Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୀନ୍‌କୁ ଆଉ ଏକ ଝଟ୍‌କା, ତାଇଓ୍ୱାନ୍‌କୁ ୬୬ ନୂଆ ଫାଇଟର ବିମାନ ବିକିବ ଆମେରିକା

17/08/2020 at 10:10 AM

ନୂଆଦିଲ୍ଲୀ ୧୭।୦୮: ଆମେରିକା ଓ ଚୀନ୍‌ ମଧ୍ୟରେ ବିବାଦ ଜାରି ରହିଛି । ଏହି ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଉଭୟ ଦେଶଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ତାଇଓ୍ୱାନ ୬୬ଟି ଯୁଦ୍ଧ ବିମାନ କିଣିବା ପାଇଁ ଆମେରିକାର ଏକ କମ୍ପାନୀ ସହିତ ଡିଲ୍‌ କରିଛି । ଆମେରିକା-ତାଇଓ୍ୱାନ୍‌ ଏହି ଡିଲ୍‌କୁ ନେଇ ଚୀନ୍‌ ଏବେ ବିଳିବିଳେଇବା ଆରମ୍ଭ କଲାଣି ।

ତେବେ ଆମେରିକା ସହିତ ହୋଇଥିବା ଡିଲ୍‌ ଅନୁଯାୟୀ, ତାଇଓ୍ୱାନ କିଣିବାକୁ ଥିବା ଯୁଦ୍ଧ ବିମାନ ଗୁଡିକ ବହୁତ ଶକ୍ତିଶାଳୀ । ତାଇଓ୍ୱାନ୍‌ ପାଖରେ ପୂର୍ବରୁ ଥିବା ବିମାନ ଠାରୁ ଏହା ବହୁତ ଶକ୍ତିଶାଳୀ ବୋଲି କହୁଯାଉଛି । ତାଇଓ୍ୱାନ ନିକଟରେ ପୁରୁଣା ୧୫୦ ଏଫ୍‌-୧୭ ଯୁଦ୍ଧ ବିମାନ ରହିଛି । ଯାହାକୁ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଜର୍ଜ ବୁଷ୍‌ ମଞ୍ଜୁରୀ ଦେଇଥିଲେ । ଏବେ ତାଇଓ୍ୱାନ ନୂତନ ଜ୍ଞାନକୌଶଳ ସହ ନୂଆ ବୈଷୟିକ ଅନୁଯାୟୀ ଯୁଦ୍ଧ ବିମାନ କିଣିବାକୁ ଆଗ୍ରହ ପ୍ରକାଶ କରିଛି । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଡିଲ୍‌ ହୋଇଛି । ରିପୋର୍ଟ ଅନୁଯାୟୀ ତାଇଓ୍ୱାନ୍‌କୁ ଖୁବ୍‌ଶୀଘ୍ର ଏହି ଯୁଦ୍ଧ ବିମାନ ମିଳିଯିବ ।

ସେପଟେ କିନ୍ତୁ ତାଇଓ୍ୱାନ ଓ ଆମେରିକୀୟ କମ୍ପାନୀର ଡିଲ୍‌କୁ ନେଇ ଚୀନ୍‌ ବିରୋଧ କରିପାରେ । କାହିଁକି ନା ତାଇଓ୍ୱାନ୍‌କୁ ଚୀନ୍‌ ସର୍ବଦା ନିଜର ଅଂଶ ବୋଲି ଦାବି କରୁଆସୁଛି । ଏହାପୂର୍ବରୁ ମଧ୍ୟ ତାଇଓ୍ୱାନ ସହିତ ସାମରିକ ଡିଲ୍‌କୁ ନେଇ ଚୀନ୍‌ ସର୍ବଦା ବିରୋଧ କରିଆସିଛି । ତେବେ ହୋଇଥିବା ଚୁକ୍ତି ଅନୁସାରେ ୨୦୨୬ ସୁଦ୍ଧା ଏହାକୁ ପୂରା କରାଯିବ । ଘୋଷଣା ଅନୁଯାୟୀ ତାଇଓ୍ୱାନକୁ ୯୦ ବିମାନ ବିକାଯିବ । ଯାହା ଉପରେ ମୋହର ମଧ୍ୟ ଲାଗିଯାଇଛି । ତାଇଓ୍ୱାନ ଓ ଚୀନ୍‌ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ଲଗାତର ଭାବେ ନିଜର ତାଇଓ୍ୱାନ୍‌ ଶକ୍ତି ବଢାଇବାର ଲାଗିଛି ।

ଗତବର୍ଷ ଚୀନ୍‌ ବିଦେଶ ମନ୍ତ୍ରାଳୟ ଦେଇଥିବା ବୟାନ ଅନୁଯାୟୀ, ଓ୍ୱାସିଂଟନ ତାଇଓ୍ୱାନ୍‌କୁ ବିକିବାକୁ ଥିବା ଏବଂ ଆଗକୁ ହେବାକୁ ଥିବା ଅସ୍ତ୍ରଶସ୍ତ୍ର କାରବାର ଉପରେ ରୋକ ଲଗାଇବାକୁ ଅନୁରୋଧ ମଧ୍ୟ କରିଥିଲା । କିନ୍ତୁ ଓ୍ୱାସିଂଟନ ଏହାର କୌଣସି ଉତ୍ତର ଦେଇନଥିଲା । ଏହାପରେ  ବେଜିଂ ଓ୍ୱାସିଂଟନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲା । ଚୀନ୍‌ ଲଗାତର ଭାବେ ତାଇଓ୍ୱାନ୍‌କୁ ଆଖି ଦେଖାଇ ଚାଲିଛି । କିଛି ଦିନ ତଳେ ଚୀନ୍‌ର ଏକ ଫାଇଟର ଜେଟ୍‌ ତାଇଓ୍ୱାନ୍‌ ସୀମାରେ ଉଡୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ତାଇଓ୍ୱାନ୍‌ର ମିଶାଇଲ ଦେଖିବା ପରେ, ନିଜ ଦେଶର ସୀମାକୁ ଫେରିଯାଇଥିଲା ଚୀନ୍‌ ଯୁଦ୍ଧ ବିମାନ।

   Related Posts