ଆମେରିକାରେ କରୋନା ସ୍ଥିତି ବିପଦଜନକ : ମୃତ୍ୟୁସଂଖ୍ୟା ଚୀନ୍ ଅପେକ୍ଷା ଅଧିକ, ସବୁଠୁ ବେଶୀ ସଂକ୍ରମିତ

Published By : Prameya-News7 Bureau | April 01, 2020 IST

ଓ୍ବାଶିଂଟନ୍ ୧।୪: କରୋନା ମହାମାରୀ ପାଇଁ ସାରା ବିଶ୍ବରେ ହାହାକାର ସୃଷ୍ଟି ହୋଇଛି । ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ ଏବେ କରୋନା କବଳରେ । ଚୀନ୍ ଅପେକ୍ଷା ଆମେରିକାରେ ଅଧିକ କରୋନାଜନିତ ମୃତ୍ୟୁ ଘଟିଛି । ମଙ୍ଗଳବାର ଦିନ ଆମେରିକାରେ ୩୪୧୫ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ଚୀନ୍ ରେ ୩୩୦୯ ଜଣଙ୍କର ମୃତ୍ୟୁ ଘଟିଛି।

ବିଶ୍ବରେ ସର୍ବାଧିକ ଆମେରିକାରେ ୧,୭୫,୦୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି କରୋନା ମହାମାରୀ ଡିସେମ୍ବର ମାସରେ ଚୀନ୍ ର ଉହାନ ସହରରୁ ବ୍ୟାପିଥିଲା । ଏପର୍ଯ୍ୟନ୍ତ ପ୍ରାୟ ୧୮୬ଟି ଦେଶରେ ବ୍ୟାପିସାରିଛି କରୋନା । ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ, କରୋନାରେ ଏପର୍ଯ୍ୟନ୍ତ ସବୁଠୁ ଅଧିକ ଲୋକ ଇଟାଲୀରେ ପ୍ରାଣ ହରାଇଛନ୍ତି । ଏଠାରେ ମୃତ୍ୟୁ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି । ମଙ୍ଗଳବାର ଦିନ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୮୩୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧,୦୫,୭୯୨ ।
କରୋନାରେ ଇଟାଲୀ ପରେ ସ୍ପେନରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏଠାରେ ପ୍ରାୟ ୯୪୪୧୭ ସଂକ୍ରମିତ ଥିବାବେଳେ ଚୀନ୍ ରେ ୮୨୨୭୮ ସଂକ୍ରମିତ ଅଛନ୍ତି । ସେହିଭଳି ବ୍ରିଟେନରେ ଗୋଟିଏ ଦିନରେ କରୋନା ଯୋଗୁଁ ୩୮୧ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରିଟେନରେ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ ସଂଖ୍ୟା ଅଟେ । ଏପର୍ଯ୍ୟନ୍ତ ବ୍ରିଟେନରେ ୧୭୮୯ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବିଶ୍ବବ୍ୟାପୀ ପ୍ରାୟ ୮,୨୮.୦୬୧ ଲୋକ କରୋନା ଦ୍ବାରା ସଂକ୍ରମିତ ହୋଇଥିବାବେଳେ ୪୧୨୬୧ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏପର୍ଯ୍ୟନ୍ତ ୧୬୧୧ଜଣ ସଂକ୍ରମିତ ହୋଇଥିବା ବେଳେ ୩୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.