Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଲକ୍ଷ୍ମୀପୁର ଖେରୀ’କୁ ନେଇ ଆମେରିକାରେ ଉଠିଲା ପ୍ରଶ୍ନ, ଜାଣନ୍ତୁ କ’ଣ ଜବାବ ରଖିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

13/10/2021 at 5:20 PM

ବୋଷ୍ଟନ ୧୩।୧୦: ଲକ୍ଷ୍ମୀପୁର ଖେରୀ ଘଟଣା ଲାଗି କେନ୍ଦ୍ର ସରକାରଙ୍କୁ ଏବେ ବେଶ ଶରବ୍ୟ ହେବାକୁ ପଡୁଛି। ତେବେ ଚାଷୀଙ୍କ ପ୍ରତି ଅମାନବୀୟତା କେବଳ ଭାରତ ନୁହେଁ ଏବେ ବିଦେଶରେ ବି ଚର୍ଚ୍ଚା ହେଉଥିବା ପ୍ରଥମ ଥର ଜଣାପଡିଛି। ଆମେରିକାରେ ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାମ୍ବାଦିକ ଲକ୍ଷ୍ମୀପୁର ଖେରୀ ନେଇ ପ୍ରଶ୍ନ କରିଥିବା ବେଳେ ଏହା ବାସ୍ତବିକ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ଏହି କ୍ରମରେ ସେ ମଙ୍ଗଳବାର ହାଭାର୍ଡ କେନେଡି ସ୍କୁଲରେ ଅନୁଷ୍ଠିତ ଏକ କଥୋପକଥନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଚାଷୀ ହତ୍ୟା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ। ତେବେ କେବଳ ସେଠାରେ ନୁହେଁ ଦେଶର ଅନ୍ୟଭାଗରେ ମଧ୍ୟ ଏପରି ଅନେକ ଘଟଣା ଘଟୁଛି ବୋଲି ସୀତାରମଣ କହିଥିଲେ। ହେଲେ ଘଟଣା ଉତ୍ତରପ୍ରଦେଶର ଓ ରାଜ୍ୟରେ ବିଜେପିର ସରକାର ଯୋଗୁ କିଛି ଲୋକଙ୍କୁ ଏହା ବଢାଇଚଢାଇ ପ୍ରଘଟ କରିବା ଲାଗି ଏବେ ଏହା ଅନୁକୂଳ ହେଉଥିବା ସେ କହିଛନ୍ତି।

ଲକ୍ଷ୍ମୀପୁର ଖେରୀରେ ୪ ଜଣ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ମାରିଦିଆଯିବା ଓ ମାମଲାରେ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ଗିରଫ ହେବା ନେଇ ସାମ୍ବାଦିକ ପ୍ରଶ୍ନ କରିଥିଲେ।  ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମଣ୍ଡଳର ବରିଷ୍ଠମନ୍ତ୍ରୀମାନଙ୍କ ନିରବତା ଓ ବିରୋଧୀଙ୍କ ଚାପ ପରେ ସରକାରଙ୍କ ‘ରକ୍ଷାତ୍ମକ ପ୍ରତିକ୍ରିୟା’କୁ ନେଇ ଅନେକ ପ୍ରଶ୍ନ କରାଯାଇଥିଲା।

ସୀତାରମଣ ପ୍ରସଙ୍ଗରେ ଜବାବ ରଖିବା ସହ ଭାରତର ଅନେକ ସ୍ଥାନରେ ସମାନ ଧରଣର ଅନେକ ଘଟଣା ଘଟୁଥିବା କହିଛନ୍ତି। ଯାହାକୁ ଆମେ କଡ଼ା ଶବ୍ଦରେ ନିନ୍ଦନୀୟ ବୋଲି କହୁଛେ। ଏପରି ପ୍ରସଙ୍ଗ ଉଠାଇବାକୁ କେହି କାଳବେଳକୁ ଅପେକ୍ଷା କରେନି।  ହେଲେ ଲକ୍ଷ୍ମୀପୁର ଖେରୀ କଥା ଭିନ୍ନ।  ଏପରି ସମୟରେ ଏହାକୁ ପ୍ରସଙ୍ଗ କରାଯାଇଛି ଯେତେବେଳେ ସେଠାରେ ବିଜେପି ସରକାର ରହିଛି ବୋଲି ସେ କହିଛନ୍ତି।  

ସୀତାରମଣ କହିଥିଲେ ଯେ ମୁଁ ଚାହେଁ  ଏଠାରେ ଉପସ୍ଥିତ ଡା. ଅମର୍ତ୍ତ୍ୟ ସେନ୍‌ଙ୍କ ସମେତ ଅନ୍ୟମାନେ ଯେଉଁମାନେ ଭାରତକୁ ଜାଣନ୍ତି ସେମାନେ  ଦେଶରେ ଯେବେବି ଏପରି ଘଟଣା ଘଟୁଛି ସେ ସବୁକୁ ପ୍ରତ୍ୟେକବାର ଉଠାନ୍ତୁ । ତେବେ ଏଥିପାଇଁ ଯେତେବେଳେ ସମୟ ଆମଲାଗି ଅନୁକୂଳ ହେବ ସେହି ସମୟକୁ ଅପେକ୍ଷା ନ କରନ୍ତୁ ବୋଲି ସୀତାରମଣ କହିଛନ୍ତି।

ସେ କହିଛନ୍ତି ଯେ ମନ୍ତ୍ରୀମଣ୍ଡଳରେ ମୋର ଜଣେ ସହଯୋଗୀଙ୍କ ପୁଅ ଏହି ସମୟରେ ଅସୁବିଧାରେ ଅଛନ୍ତି, ଏହି ଘଟଣା ଲାଗି ହୁଏତ ସେ ହିଁ ଦାୟୀ ହୋଇଥାଇ ପାରନ୍ତି ,ଏହି ଘଟଣାର ଏବେ ତଦନ୍ତ ହେଉଛି। ତେବେ ପ୍ରସଙ୍ଗରେ ଯଦି ଉପହାସ ନ କରାଯାଏ ତେବେ ମୁଁ ଭାରତର କଥା କହିବି, ଗରିବଙ୍କ ଲାଗି ନ୍ୟାୟ ଚାହିଁବି।  ଅନ୍ୟଥା ସିଧା ଶଳଖ କହିବି କ୍ଷମା କରନ୍ତୁ ତଥ୍ୟକୁ ନେଇ ଆଲୋଚନା କରନ୍ତୁ ବୋଲି ସୀତାରମଣ କହିଛନ୍ତି।  

   Related Posts