କିମ୍ ଜୋଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀରେ ଯାହା କୁହାଯାଉଛି ତାହା ‘ଭୁଲ’- ଟ୍ରମ୍ପ୍
24/04/2020 at 1:04 PM

ୱାସିଂଟନ୍ ୨୪।୦୪ : ଉତ୍ତର କୋରିଆର ଏକ ଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଦୀର୍ଘ ୪୦ ଦିନରୁ ଅଧିକ ହେବ ଅଣ୍ଡର ଗ୍ରାଉଣ୍ଡ ଥିବା କିମ୍ଙ୍କୁ ନେଇ ଅନେକ ପ୍ରକାରର ରିପୋର୍ଟ ପ୍ରକାଶ ପାଉଛି। ବାସ୍ତବରେ କିମ୍ କେଉଁ ରୋଗରେ ପୀଡିତ ଅଛନ୍ତି କେଉଁଠି ଅଛନ୍ତି ତାକୁ ନେଇ ସସପେନ୍ସ ଜାରି ରହିଛି। ଆଠ ବର୍ଷ ଧରି ଉତ୍ତର କୋରିଆର ଶାସକ ରହିବା ପରେ ପ୍ରଥମ ଥର କିମ୍ଙ୍କୁ ନେଇ ଏମିତି ସ୍ଥିତି ଉପୁଜିଛି। ଉଲ୍ଲେଖନୀୟ କିମ୍ଙ୍କ ପରିବାର ସାତ ଦଶନ୍ଧି ହେବ ଉତ୍ତର କୋରିଆରେ ରାଜ୍ କରି ଆସୁଛନ୍ତି। ୩୬ ବର୍ଷୀୟ କିମ୍ଙ୍କ ଗୁରୁତର ରୋଗରେ ପୀଡିତ ହେବା ପରେ ତାଙ୍କର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ସମୟରେ କିମ୍ ଗୁରୁତର ଅସୁସ୍ଥ ହେବା ଖବରକୁ ଟ୍ରମ୍ପ ପ୍ରତ୍ୟଖାନ କରିଦେଇଛନ୍ତି । କିଛି ଗଣମାଧ୍ୟମରେ କିମ୍ ଜଙ୍ଗ ଉନ୍ ଅସୁସ୍ଥ ଥିବା ଖବର ପ୍ରକାଶ ପାଉଛି । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏହାସହିତ ଗଣମାଧ୍ୟମ ସଂସ୍ଥା ‘ସିଏନ୍ଏନ୍’କୁ ମଧ୍ୟ ଟ୍ରମ୍ପ୍ ସମାଲୋଚନା କରିଛନ୍ତି।

ତେବେ ସାମ୍ବାଦିକ ସମ୍ମିଳନୀରେ କିମ୍ଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ବୋଲି ପ୍ରଶ୍ନ କରାଯାଇଥିଲା । କିମ୍ ଭଲ ଅଛନ୍ତି କି, ନାହିଁ ପଚରାଯାଇଥିଲା । କିମ୍ ଜଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉତ୍ତର କୋରିଆରୁ କିଛି ଖବର ନେଇଛନ୍ତି କି ବୋଲି ପଚରା ଯିବାରୁ ଟ୍ରମ୍ପ୍ କହିଲେ, ମୋର ମନେହୁଏ ଏ ଖବର ଭୁଲ୍ । ମୁଁ ପ୍ରକୃତ କଥାଟା କହୁଛି। ମୁଁ ଶୁଣୁଛି ସେମାନେ ଖିଛି ପୁରୁଣା ଡକ୍ୟୁମେଣ୍ଟ୍ ବ୍ୟବହାର କରିଛନ୍ତି। ‘ସିଏନ୍ଏନ୍’କୁ ଆକ୍ଷେପ କରି ଏହି କଥା କହିଥିଲେ ।
ସୂଚନାଯୋଗ୍ୟ ଯେ ‘ସିଏନ୍ଏନ୍’ ସହ ଟ୍ରମ୍ପଙ୍କ ସମ୍ପର୍କ ଅତି ତିକ୍ତତାପୂର୍ଣ୍ଣ। ‘ସିଏନ୍ଏନ୍’ କୁ ସମାଲୋଚନା କରି ଟ୍ରମ୍ପ୍ କହିଲେ, ‘ମୋର ମନେହୁଏ ତାହା ‘ସିଏନ୍ଏନ୍’ ଦ୍ବାରା ପ୍ରସ୍ତୁତ ମିଛ ଖବର। ଅସ୍ତ୍ରୋପଚାର ପରେ କିମ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ବୋଲି ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବରକୁ ୱାସିଂଟନ୍ ଅନୁଧ୍ୟାନ କରୁଛି ବୋଲି ‘ସିଏନ୍ଏନ୍’ ରିପୋର୍ଟ କରିଥିଲା। କିନ୍ତୁ, ଏ ରିପୋର୍ଟର ସତ୍ୟତା ଉପରେ ଦକ୍ଷିଣ କୋରିଆ ଏ ପର୍ଯ୍ୟନ୍ତ ମଧ୍ୟ ନିଶ୍ଚିତ ନୁହେଁ। ସାମ୍ବାଦିକମାନଙ୍କୁ ଟ୍ରମ୍ପ୍ କହିଛନ୍ତି, ମୋର ଆଶା ସେ ଚିକିତ୍ସା ସଙ୍କଟରେ ନ ଥିବେ। ମୁଁ ଆଶା କରୁଛି ସେ ଅସୁବିଧାରେ ପଡ଼ି ନ ଥିବେ। ତାଙ୍କ ସହ ମୋର ସମ୍ପର୍କ ଅତି ଉତ୍ତମ। ମନେରଖନ୍ତୁ ମୁଁ ଯଦି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ନ ଥାନ୍ତି ଆପଣମାନେ ଉତ୍ତରକୋରିଆ ସହ ଯୁଦ୍ଧ କରୁଥାଆନ୍ତେ।