ଟ୍ରମ୍ପଙ୍କ ଫାଷ୍ଟ୍ ଆମେରିକା : ଭାରତ ସହ ଦମଦାର ବାଣିଜ୍ୟ ଚୁକ୍ତି କରିବୁ, କିନ୍ତୁ ଆମେରିକାର ସ୍ବାର୍ଥ ଆଗ

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ ୨୧।୨: ଭାରତ ଗସ୍ତରେ ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଏକ ବଡ ବୁଝାମଣାର ସମ୍ଭାବନା ରହିଛି । ଲିଗାଞ୍ଜରେ ଅନୁଷ୍ଠିତ ହୋପ୍ ଫର୍ ପ୍ରିଜନର୍ସ ଗ୍ରାଜୁଏସନ ସେରିମନିରେ ଯୋଗଦେଇ ଟ୍ରମ୍ପ ଏହା କହିଛନ୍ତି । ଟ୍ରମ୍ପ୍ କହିଥିଲେ କିଛି ସମୟ ଅପେକ୍ଷା କରି ନିର୍ବାଚନ ପରେ ବୁଝାମଣା କରିବାର ସମ୍ଭାବନା ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ ଆସନ୍ତା ୨୪ ଏବଂ ୨୫ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ।

ଟ୍ରମ୍ପ୍ କହିଥିଲେ ଯଦି ଉତ୍ତମ ନିଷ୍ପତ୍ତି ହୁଏ ତେବେ ଏହି ବୁଝାମଣା କରାଯିବ । କାରଣ ଆମେ ଆଗ ଆମେରିକା କଥା ଚିନ୍ତା କରିବୁ । ରାଷ୍ଟ୍ରପତି ଟ୍ରମ୍ପଙ୍କ ଯାତ୍ରାକୁ ସଫଳ କରାଇବା ପାଇଁ ଉଭୟ ପକ୍ଷ ଲଗାତର ସଂପର୍କରେ ରହିଛନ୍ତି । ପ୍ରତିରକ୍ଷା, ଗୁଇନ୍ଦା ସହଯୋଗ, ଅନ୍ତରୀକ୍ଷ ସହଯୋଗ, ପରମାଣୁ ସୁରକ୍ଷା ସହଯୋଗ, ରଣନୀତି ଏବଂ ରଣନୈତିକ ବୁଝାମଣା ବ୍ୟତୀତ ବ୍ୟବସାୟରେ ଭିଜନକୁ ନେଇ ଲଗାତର କଥାବାର୍ତ୍ତା ଚାଲିଛି ।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପ୍ରୋଟୋକଲ ସହ ଜଡିତ ପ୍ରସଙ୍ଗକୁ ଉଭୟ ପକ୍ଷ ଅଲୋଚନା କରୁଛନ୍ତି । ଅହମ୍ମଦାବାଦ, ଆଗ୍ରା ଏବଂ ଦିଲ୍ଲୀରେ ଆମେରିକୀୟ ସୁରକ୍ଷା ଏଜେନ୍ସୀ ନିଜର ଆବଶ୍ୟକତା ସଂପର୍କରେ ଭାରତକୁ ଜଣାଇସାରିଛନ୍ତି । 

ଟ୍ରମ୍ପଙ୍କ ଗସ୍ତ ସମୟରେ ଆତଙ୍କବାଦର ନିନ୍ଦା ହେବା ନେଇ ଭାରତ ଶତତ ଚେଷ୍ଟା କରିବ । ଫଳରେ ପାକିସ୍ତାନକୁ କଡା ଜବାବ ଦିଆଯାଇପାରିବ । ଆମେରିକା ରାଷ୍ଟ୍ରପତି ବହୁ ସମୟରେ ଶକ୍ତ ପଦକ୍ଷେପ ନେଇଛନ୍ତି । ମାତ୍ର କୁଟନୈତିକ କ୍ଷେତ୍ରରେ ପ୍ରୟାସ କରାଯାଇଛି ଯେପରି ଦୁଇ ଦେଶ ପରସ୍ପରଙ୍କର ସମ୍ବେଦନଶୀଳତାର ସମ୍ମାନ ରକ୍ଷା କରି ନିଜ ପକ୍ଷ ରଖିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.