ଭାରତଠାରୁ ଋଣ ନେଲା ଆମେରିକା, ବଢ଼ିଲା ଚିନ୍ତା, ଜଣେ ଆମେରିକୀୟଙ୍କ ମୁଣ୍ଡରେ ୮୦,୦୦୦ ଡଲାରର କରଜ

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ, ୨୭/୦୨: ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ହେଉଛି ଆମେରିକାର ଅର୍ଥବ୍ୟବସ୍ଥା । କିନ୍ତୁ ଏହି ଅର୍ଥବ୍ୟବସ୍ଥାର ଋଣ ଭାର ଏବେ ଏତେ ବଢ଼ି ଯାଇଛି ଯେ, ଯେ କେହି ବି ଏହାକୁ ଶୁଣିବ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବ । ଏହି ଦେଶ ଭାରତଠାରୁ ଏବେ ୨୧୬ ବିଲିୟନ୍‌ ୟୁଏସ୍‌ ଡଲାର୍‌ର ଋଣ ନେଇଛି । ଏହି ଋଣ ପରେ ଆମେରିକାର ମୋଟ ଋଣ ୨୯ ଟ୍ରିଲିୟନ୍‌କୁ ବଢ଼ି ଯାଇଛି । ଏହାକୁ ନେଇ ଆମେରିକାର ଜଣେ ସାଂସଦ କହିଛନ୍ତି ଯେ, ବୈଦେଶିକ ଋଣକୁ ନେଇ ଚିନ୍ତା ବଢ଼ିଛି । ଏହି ଋଣର ଅଧିକାଂଶ ଅଂଶ ଚୀନ୍‌ ଏବଂ ଜାପାନ୍‌ର ରହିଥିବା ସେ କହିଛନ୍ତି ।

୨୦୨୦ରେ ୟୁଏସ୍‌ର ଜାତୀୟ ଋଣ ୨୩.୪ ଟ୍ରିଲିୟନ୍‌ ରହିଥିଲା, ଯାହାଫଳରେ ଆମେରିକାରେ ଜଣଙ୍କ ମୁଣ୍ଡ ପିଛା ୭୨,୩୦୯ ଡଲାର୍‌ର କରଜ ରହିଥିଲା ।

ଆମେରିକା କଂଗ୍ରେସ୍‌ର ଆଲେକ୍ସ ମୁନି ଏନେଇ କହିଛନ୍ତି ଯେ, ଆମେ ଆଗକୁ ବଢ଼ିବାକୁ ଯାଉଛୁ । କାରଣ ଆମର ଜାତୀୟ ଋଣ ୨୯ ଟ୍ରିଲିୟନ୍‌ ୟୁଏସ୍‌ ଡଲାର୍‌କୁ ବୃଦ୍ଧି ହୋଇଛି । ଯାହାକି ଆମେରିକାବାସୀଙ୍କ ଉପରେ ପୁଣି ବୋଝ ଲଦି ହେଲା ଭଳି ହୋଇଛି । ଏଥିରେ ଋଣ ବ୍ୟବସ୍ଥା ବହୁତ ଖରାପ ସ୍ଥିତି ଆଡ଼କୁ ଗତି କରୁଥିବା ସେ କହିଥିବା ବେଳେ ଚୀନ୍‌ ଏବଂ ଜାପାନ୍‌ଠାରୁ ଅତ୍ୟଧିକ ଋଣ କରାଯାଇଥିବା ସେ କହିଛନ୍ତି । ଯେଉଁମାନେ କି ଆମେରିକାର ବନ୍ଧୁ ରାଷ୍ଟ୍ର ନୁହନ୍ତି ।

ସେ ପୁଣି କହିଛନ୍ତି, ଆମର ଜାତୀୟ ଋଣ ୨୭.୯ ଟ୍ରିଲିୟନ ଡଲାର ଅଛି । ଏହା ପ୍ରକୃତରେ ଦେଶରେ ବାସକରୁଥିବା ପ୍ରତ୍ୟେକ ଆମେରିକୀୟ ନାଗରିକଙ୍କ ପାଇଁ ୮୪,୦୦୦ଡଲାରର ଋଣଠାରୁ ଟିକେ ଅଧିକ ବୋଲି ମୁନି କହିଛନ୍ତି । ଏଥିସହିତ ଆମେ ଗୋଟିଏ ବର୍ଷରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୦,୦୦୦ଡଲାର ଋଣ ନେଇଛୁ । ଯାହାକି ଆମର  ନିୟନ୍ତ୍ରଣ ବାହାରେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.