ଆମେରିକାରେ ଗତ ୨୪ ଘଣ୍ଟାରେ କରୋନା ନେଲା ୧୩୦୩ ଜୀବନ, ମୃତ୍ୟୁ ସଂଖ୍ୟା ଅତିକ୍ରମ କଲା ୫୬ହଜାର

Published By : Prameya-News7 Bureau | April 28, 2020 IST

ଓ୍ବାଶିଂଟନ୍ ୨୮।୪: ସାରା ବିଶ୍ବରେ କରୋନା ଭାଇରସ୍ ମହାମାରୀର ପ୍ରଭାବ ବଢିବାରେ ଲାଗିଛି । ଏହି ମହାମାରୀରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଭାଇରସ୍ ଯୋଗୁଁ ୧୩୦୩ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ଧରି ଆମେରିକାରେ ପ୍ରତିଦିନ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି ।

ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଅନୁଯାୟୀ, ଆମେରିକାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୬ ହଜାର ୧୬୪ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ଅନ୍ୟ ଦେଶ ତୁଳନାରେ ସର୍ବାଧିକ । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ପ୍ରାୟ ୯ ଲକ୍ଷ ୮୭ ହଜାର ଲୋକ ସଂକ୍ରମିତ ହୋଇସାରିଲେଣି ।

ଆମେରିକାରେ ଜାନୁଆରୀଠାରୁ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ପ୍ରାୟ ୪୦ଦିନରେ ଆମେରିକାରେ ଘରେ ରହିବା ନେଇ ଆଦେଶ ବଳବତ୍ତର ରହିଛି । ଏହି କାରଣରୁ ପ୍ରାୟ ୯୦ ପ୍ରତିଶତ ଆମେରିକୀୟ ଲୋକ ସେମାନଙ୍କ ଘରେ ଅଛନ୍ତି । ଆମେରିକାରେ ଏପର୍ଯ୍ୟନ୍ତ ୫୫ ଲକ୍ଷ ଲୋକଙ୍କର ପରୀକ୍ଷଣ ହୋଇସାରିଲାଣି । ଯାହା ଅନ୍ୟ ଦେଶ ତୁଳନାରେ ସର୍ବାଧିକ ।

ନ୍ୟୁୟର୍କରେ କରୋନା ଭାଇରସ୍ ଯୋଗୁଁ ସବୁଠୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । କେବଳ ନ୍ୟୁୟର୍କରେ ୧୮,୦୦୦ ଲୋକ ପ୍ରାଣ ହରାଇଥିବାବେଳେ ଏଠାରେ ୮ ଲକ୍ଷରୁ ଅଧିକ ଲୋକଙ୍କର ପରୀକ୍ଷଣ ହୋଇସାରିଛି । ସାରା ବିଶ୍ବରେ କରୋନ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.