ବୁହାନ ଲ୍ୟାବରୁ ସୃଷ୍ଟି ହୋଇଛି କରୋନା ଭାଇରସ ! ଆମେରିକା ଚଳାଇଛି ତଦନ୍ତ
17/04/2020 at 11:46 AM

ଓ୍ୱାଶିଂଟନ, ୧୭|୦୪: କରୋନା ଭାଇରସ ଚୀନର ବୁହାନ ଲ୍ୟାବରେ ସୃଷ୍ଟି ହୋଇଛି ନା ନାହିଁ ତାହା ଉପରେ ଆମେରିକା ତଦନ୍ତ ଚଳାଇଛି । ଏହାର ସତ୍ୟତା ସାମ୍ନାକୁ ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଏହାସହ ଚୀନ ଏନେଇ ସ୍ପଷ୍ଟ କରୁ ବୋଲି କହିଛନ୍ତି ଆମେରିକାର ବୈଦେଶିକ ସଚିବ ମାଇକ ପାମ୍ପିଓ ।
ଏହି ମାରାତ୍ମକ ଭାଇରସ କେଉଁଠି ସୃଷ୍ଟି ହୋଇଛି ତାହା ଏକ ରହସ୍ୟ ହୋଇ ରହିଛି । ଆମେରିକା ଗୁଇନ୍ଦା ବିଭାଗ ନିକଟରେ ଏହି ଭାଇରସ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା କହିଥିଲା । ଚାଇନା ଲ୍ୟାବରୁ ଏହା ତିଆରି ହୋଇଥିବା କଥାକୁ ସେ ଖଣ୍ଡନ କରିଥିଲେ ମଧ୍ୟ କୌଣସି ପ୍ରମାଣ କରିପାରି ନାହିଁ । ଫକ୍ସ ନ୍ୟୁଜ୍ କହିଛି ଯେ, ବୁହାନ ଲାବୋରାଟୋରୀ ଜୈବୀଅସ୍ତ୍ର ପ୍ରସ୍ତୁତ କରେ ନାହିଁ । କିନ୍ତୁ ଚୀନ ଏହି ଭାଇରସକୁ ଚିହ୍ନଟ କରିବାର ବିଳମ୍ବ କରିଥିଲା । ଏହି ଭାଇରସ ପରୀକ୍ଷଣ ବେଳେ ଜଣେ ବୈଜ୍ଞାନିକ ମଧ୍ୟ ସଂକ୍ରମିତ ହୋଇଥିଲେ । ପରେ ସେ ମାଂସ ମାର୍କେଟକୁ ଯିବା ପରେ ଭାଇରସ ବ୍ୟାପିଥିଲା ।

ପାମ୍ପିଓ ଫକ୍ସ୍ ନ୍ୟୁଜ୍ ଚ୍ୟାନେଲକୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ, ଏହି ଭାଇରସ ଚୀନର ବୁହାନ ସହରରୁ ବ୍ୟାପିଛି । ଯେଉଁ ଲ୍ୟାବ କଥା କହାଯାଉଛି ତାହା ମାଂସ ମାର୍କେଟରୁ ମାତ୍ର ଅଳ୍ପ ଦୂରରେ ରହିଛି । କିପରି ଏହା ବ୍ୟାପିଲା ଚୀନ ସରକାର ଏହା ସ୍ପଷ୍ଟ କରନ୍ତୁ ବୋଲି ସେ କହିଥିଲେ ।
ହ୍ୱାଇଟ୍ ହାଉସ୍ ପ୍ରେସ ମିଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଭାଇରସ ଚାଇନା ଲ୍ୟାବରୁ ଆସିଥିବା ଓ ଏନେଇ ସେ ଜାଣିଛନ୍ତି ବୋଲି କହିଥିଲେ । ଏହାକୁ ନେଇ ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଣ ଆଲୋଚନା କରିଛନ୍ତି ତାହା ପ୍ରକାଶ କରିବାକୁ ମନାକରିଦେଇଥିଲେ । ଚୀନରୁ ସୃଷ୍ଟ ଏହି ବାଇରସ ସେଠାରେ ମାତ୍ର ୩୦୦୦ ଜୀବନ ନେଇଥିବା ବେଳେ ଆମେରିକାରେ କିପରି ୩୦ ହଜାରରୁ ଅଧିକ ଜୀବନ ନେଇଛି ତାହାକୁ ନେଇ ଟ୍ରମ୍ପ ଆଶଙ୍କା କରିଛନ୍ତି । ତେବେ ଚୀନ ତଥ୍ୟ ଲୁଚାଉଥିବା ସେ କହିଛନ୍ତି ।