ହିଂସା ମଧ୍ୟରେ ବାଇଡେନଙ୍କ ବିଜୟକୁ ଆମେରିକା କଂଗ୍ରେସର ମୋହର, ସେପଟେ କ୍ଷମତା ହସ୍ତାନ୍ତର ପାଇଁ ଟ୍ରମ୍ପ ରାଜି କିନ୍ତୁ ତଥାପି ରହିଛି କେଁ…

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୦୭/୦୧ : ଆମେରିକାରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି । ଟ୍ରମ୍ପଙ୍କ ସମର୍ଥକମାନେ ରାଜରାସ୍ତାରେ ହିଂସା ଜାରି ରଖିଛନ୍ତି । ଆମେରିକା ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଧସ୍ତା ଧସ୍ତି ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି ।

ତେବେ ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ ହିଂସାକାଣ୍ଡ ଜାରି ରହିଥିବା ବେଳେ ଅନ୍ୟ ପଟେ ଆମେରିକା କଂଗ୍ରେସ ଜୋ ବାଇଡେନ୍‌ଙ୍କ ବିଜୟ ଉପରେ ମୋହର ଲଗାଇଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ହେବା ପାଇଁ ମୋଟ ୨୭୦ ଇଲେକ୍ଟୋରାଲ ଭୋଟ ଦରକାର ଥିବାବେଳେ ଜୋ ବାଇଡେନଙ୍କୁ ମିଳିଛି ମୋଟ ୩୦୬ ଭୋଟ । ଆମେରିକା କଂଗ୍ରେସ ମଞ୍ଜୁରୀ ଦେବା ପରେ ଜୋ ବାଇଡେନ ବିଧିବଦ୍ଧଭାବେ ରାଷ୍ଟ୍ରପତି ହେବେ ।

ଏହାକୁ ନେଇ ଅସନ୍ତୁଷ୍ଟ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ନିର୍ବାଚନ ଫଳାଫଳକୁ ସମର୍ଥନ କରୁନାହାନ୍ତି । ଏହା ପରେ ମଧ୍ୟ ସତ୍ତାକୁ ଜୋ ବାଇଡେନଙ୍କୁ ସଠିକ ଭାବେ ଆମନ୍ତ୍ରଣ କରାଯିବ ବୋଲି ଟ୍ରମ୍ପ କହିଛନ୍ତି । ତେବେ ଡୋନାଲ୍ଡ ଟ୍ରମ୍ପ କିନ୍ତୁ ପରାଜୟକୁ ସ୍ବୀକାର କରିନାହାନ୍ତି ଏବଂ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ଘୋଷଣା କରିଛନ୍ତି ।

ସେପଟେ ଆମେରିକା କଂଗ୍ରେସ ମୋହର ମାରିବା ପରେ ଜୋ ବାଇଡେନ ଜାନୁୟାରୀ ୨୦ରେ  ଆମେରିକାରର ରାଷ୍ଟ୍ରପତି ଭାବେ ଶପଥ ନେବେ ବୋଲି ଆପାତତ ସ୍ପଷ୍ଟ ହୋଇସାରିଛି । ଏହା ପୂର୍ବରୁ ଟ୍ରମ୍ପଙ୍କ ସମର୍ଥକମାନେ ଓ୍ବାଶିଂଟନର କ୍ୟାପିଟାଲ ସିଟିରେ ଜୋରଦାର ହଂଗାମା କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ୪ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଜୋ ବାଇଡେନ ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏହି ହିଂସାକାଣ୍ଡର ଦୃଢ ନିନ୍ଦା କରିଛନ୍ତି । ଏଥିପାଇଁ ଡୋନାଲ୍ଡ ଟ୍ରମ୍ପ ହିଁ ଦାୟୀ ବୋଲି ବାରାକ ଓବାମା ଅଭିଯୋଗ କରିଛନ୍ତି । ବାଇଡେନ କହିଛନ୍ତି ଏହି ହିଂସାକାଣ୍ଡ ପାଇଁ ଟ୍ରମ୍ପ ତୁରନ୍ତ କ୍ଷମା ମାଗିବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.