Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହୋଇଯିବ କି ଆମେରିକା-ଚୀନ ଯୁଦ୍ଧ ! ବେଜିଂ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ କଲେ ଟ୍ରମ୍ପ

15/05/2020 at 8:29 PM

ନୂଆଦିଲ୍ଲୀ ୧୫।୦୫: ଗୋଟିଏ ପଟେ ସମଗ୍ର ଦୁନିଆରେ କରୋନା ଭୂତାଣୁ ପ୍ରକୋପର ପ୍ରଭାବ ଜାରି ରହିଥିବା ବେଳେ ଅନ୍ୟପଟେ ବିଶ୍ଵର ଦୁଇ ମହାଶକ୍ତି ଆମେରିକା ଓ ଚୀନ ମଧ୍ୟରେ କ୍ରମାଗତ ତିକ୍ତତା ବଢିବାରେ ଲାଗିଛି। କରୋନା ଭୂତାଣୁକୁ ନେଇ ଚୀନର ବେପରୁଆ ମନୋଭାବ ଓ ଆଭିମୁଖ୍ୟରେ ଅସନ୍ତୁଷ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଶବ୍ଦରେ ଧମକ ଦେଇଛନ୍ତି ଯେ, ଚୀନ ସହିତ ସବୁ ପ୍ରକାରର ସମ୍ବନ୍ଧ ସମାପ୍ତ ହୋଇପାରେ। ଟ୍ରମ୍ପ ସଂପ୍ରତି ଚୀନ ଉପରେ ଦୁଇ ଆଡୁ ଚାପ ପକାଇବା ଆରମ୍ଭ କରିଛନ୍ତି। ଟ୍ରମ୍ପ ଆର୍ଥିକ କାରବାର ସୀମିତ କରିବା ସହିତ ଦକ୍ଷିଣ ଚୀନ ସାଗରରେ ଚୀନ ଉପରେ ସାମରିକ ଚାପ ପକାଇବା ମଧ୍ୟ ଆରମ୍ଭ କରି ଦେଇଛନ୍ତି।

ଟ୍ରମ୍ପ ପ୍ରଶାସନ ଗତ ଡିସେମ୍ବରରେ ହୁବେଇ ପ୍ରାନ୍ତର ରାଜଧାନୀ ଉହାନ ସହରରେ ଉତ୍ପନ କରୋନା ଭୂତାଣୁ ସୂଚନା ଲୁଚାଇବାର ଆରୋପରେ ଚୀନକୁ ଦଣ୍ଡିତ କରିବା କିମ୍ବା ତାଠୁ କ୍ଷତିର ଆର୍ଥିକ ଭରଣା କରିବାକୁ ଉପାୟ ଖୋଜୁଛି। ଏହି ଦିଗରେ ଟ୍ରମ୍ପ ପ୍ରଶାସନ ୟୁଏସ ଫେଡେରାଲ ରିଟାୟମେଣ୍ଟ ଫଣ୍ଡ୍ସରୁ ଚାଇନିଜ୍‌କୁ ଆର୍ଥିକ କାରବାର ସଂପୂର୍ଣ୍ଣ ବନ୍ଦ କରି ଦେଇଛି। ଟ୍ରମ୍ପ କହିଛନ୍ତି ଆମେ ଯଦି ଚୀନ ସହ ସମ୍ବନ୍ଧ ସମାପ୍ତ କରିବୁ ତେବେ ପ୍ରାୟ ୫୦୦ ବିଲିୟନ ଡଲାର ବଞ୍ଚାଇ ପାରିବୁ।

ଏହା ବ୍ୟତୀତ ଆମେରିକା ଦକ୍ଷିଣ ଚୀନ ସାଗରରେ ଚୀନ ଉପରେ ସୈନ୍ୟ ଚାପ ବଢାଇବା ଆରମ୍ଭ କରି ଦେଇଛି। ପେଣ୍ଟାଗନ ଚୀନ ଉପରେ ଆରୋପ ଲଗାଇଛି ଯେ, ବେଜିଂ ବିଶ୍ଵର ଅନ୍ୟ କ୍ଷେତ୍ରରେ ନିଜର ପ୍ରଭାବ ବଢାଇବା ଲାଗି  କରୋନା ଭାଇରସ୍‌ ମହାମାରୀର ଫାଇଦା ଉଠାଇବାକୁ ଉଦ୍ୟମ କରୁଛି।

ଆମେରିକା ଚୀନକୁ ସ୍ପଷ୍ଟ ଶବ୍ଦରେ ସନ୍ଦେଶ ଦେବା ପାଇଁ ନୌସେନାର ଜାହାଜ ଏବଂ ବାୟୁ ସେନାର ବି-୧ ବୋମାବର୍ଷକ ଏକ ବିଶେଷ ମିଶନ ଆରମ୍ଭ କରିଛି। ଏହା ଆମେରିକା ସେନାର କ୍ଷେତ୍ରରେ ଉପସ୍ଥିତି ଏବଂ ସହଯୋଗୀଙ୍କୁ ଆଶ୍ଵସ୍ତି କରିବା ଉଦ୍ଦେଶ୍ୟ ରଖିଥାଏ। ଦକ୍ଷିଣ-ଚୀନ ସାଗରରେ ଉତ୍ତେଜନା ଧିରେ ଧିରେ ବଢିବାରେ ଲାଗିଛି। ଲାଗୁଛି ଧିରେ ଧିରେ ଦୁଇ ମହାଶକ୍ତି ଯୁଦ୍ଧର ମୁହାଣ ଅଭିମୁଖେ ଗତି କରୁଛନ୍ତି।

   Related Posts