ଚୀନ୍‌କୁ ଝଟ୍‌କା: ତାଇଓ୍ବାନକୁ ସଶସ୍ତ୍ର ଡ୍ରୋନ୍‌ ଦେବାକୁ ଅନୁମତି ଦେଲା ଆମେରିକା

Published By : Prameya-News7 Bureau | November 04, 2020 IST

ଓ୍ବାସିଂଟନ ୪/୧୧: ତାଇଓ୍ବାନର ବଢ଼ୁଛି ସାମରିକ ସମାର୍ଥ୍ୟ । ଚୀନକୁ ଲାଗୁଛି ଝଟ୍‌କା।ଚୀନର ବାରମ୍ବାର ଚେତାବନୀ ସତ୍ବେ ଆମେରିକା ତାଇଓ୍ବାନକୁ ଯୁଦ୍ଧାସ୍ତ୍ର ପଠାଉଥିବା ଦେଖିବାକୁ ମିଳିଛି। ନିକଟରେ ଆମେରିକା ୨୩୭ କୋଟି ଡଲାରର ମିସାଇଲ ପଠାଇବା ପାଇଁ ସହମତି ପ୍ରକାଶ କରିବାକୁ ନେଇ ଚୀନ ବିରୋଧ କରିଥିଲା। ଏବେ ପୁଣି ଥରେ ଆମେରିକା ୬୦ କୋଟି ଡଲାର (ପାଖାପାଖି ୪୪ ଶହ କୋଟି ଟଙ୍କା)ର ସଶସ୍ତ୍ର ଡ୍ରୋନ୍‌ ତାଇଓ୍ବାନକୁ  ବିକ୍ରି କରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି।

ରିମୋଟ ଦ୍ବାରା ଚାଳିତ ସଶସ୍ତ୍ର ଡ୍ରୋନ୍‌ ସମେତ ଅନ୍ୟ ଉପକରଣ ତାଇଓ୍ବାନକୁ ପଠାଇବା ପାଇଁ ସରକାର ଅନୁମତି ଦେଇଥିବା ଆମେରିକା ବୈଦେଶିକ ବିଭାଗ ଏକ ବିଜ୍ଞପ୍ତିରେ ଦର୍ଶାଇଛି। ତେବେ ଏହି ସବୁ ଉପକରଣ ମିଳିବା ପରେ ତାଇଓ୍ବାନରେ ସୁରକ୍ଷା, ସୈନ୍ୟ ସନ୍ତୁଳନ ଓ ରାଜନୈତିକ ସ୍ଥିରତା ପାଇଁ ବଳ ମିଳିବ ବୋଲି କୁହାଯାଉଛି।

ତେବେ ପୂର୍ବରୁ ୨୩୭ କୋଟି ଡଲାରର ମିସାଇଲ୍‌ ପଠାଇବାକୁ ଆମେରିକା ସହମତି ପ୍ରକାଶ କରିବାକୁ ନେଇ ଚୀନ ବିରୋଧ କରିବା ସହ ଯୁଦ୍ଧାସ୍ତ୍ର ପଠାଉଥିବା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଥିଲା। ତାଇଓ୍ବାନକୁ ନିଜର ଅଲଗା ହୋଇଥିବା ପ୍ରାନ୍ତ ବୋଲି କହି ଏହା ଉପରେ ଅଧିକାର ସାବ୍ୟସ୍ତ କାରୁଛି ଚୀନ। କିନ୍ତୁ ତାଇଓ୍ବାନ ନିଜକୁ ଏକ ସ୍ବତନ୍ତ୍ର ଦେଶ ବୋଲି ଦାବି କରିଆସୁଛି। ବିଭିନ୍ନ ପ୍ରସଙ୍ଗ ସହ ତାଇଓ୍ବାନକୁ ଯୁଦ୍ଧାସ୍ତ୍ର ସପ୍ଲାଏ କରିବା ମାମଲା​‌ରେ ଚୀନ ଓ ଆମେରିକା ମଧ୍ୟରେ ଅସନ୍ତୋଷ ଲାଗିରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.