କର୍ତ୍ତବ୍ୟ ଆଗ : ମାଆଙ୍କ ମୃତ୍ୟୁ ଖବର ଶୁଣି ମଧ୍ୟ ବିଚଳିତ ହେଲେନି ଆମ୍ୱୁଲାନ୍ସ ଡ୍ରାଇଭର

Published By : Prameya-News7 Bureau | May 25, 2021 IST

ମଥୁରା, ୨୫/୦୫: କର୍ତ୍ତବ୍ୟ ହିଁ ଭଗବାନ । କର୍ତ୍ତବ୍ୟ ଆଗରେ କେହି ବଡ ନୁହେଁ । ଏହାକୁ କଥା ନୁହେଁ କାମରେ ପରିଣତ କରିଛନ୍ତି ମଥୁରାର ଜଣେ ଆମ୍ବୁଲାନ୍ସ ଡ୍ରାଇଭର । ନିଜ ମାଆଙ୍କ ମୃତ୍ୟୁ ଖବର ପାଇବା ପରେ ମଧ୍ୟ ସେ ପ୍ରଥମେ ଦାୟିତ୍ୱ ସମ୍ପାଦନ କରିବାକୁ ଠିକ୍ ଭାବିଥିଲେ ।

ସୂଚନାନୁସାରେ, ଡ୍ରାଇଭର ଜଣଙ୍କ ହେଉଛନ୍ତି ପ୍ରଭାତ ଯାଦବ । ବୟସ ୩୩ । ୧୦ ଦିନ ତଳେ ସେ ଡ୍ୟୁଟିରେ ଥିବା ବେଳେ ଘରୁ ଆସିଥିଲା ଫୋନ୍ କଲ୍ । ପରିବାର ଲୋକେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଦେଇଥିଲେ । ଖବର ପାଇ ମଧ୍ୟ ସେ ଦାୟିତ୍ୱରୁ ଓହରି ନଥିଲେ । ଏପରିକି ୧୫ ଜଣ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ପହଁଚାଇଥିଲେ । ଡ୍ୟୁଟି ସରିବା ପରେ ହିଁ ସେ ୨୦୦ କିମି ଦୂରରେ ଥିବା ନିଜ ଘରକୁ ଯାଇଥିଲେ । ମାଆଙ୍କ ଶେଷକୃତ୍ୟ ପରେ ସେ ତୁରନ୍ତ ପରଦିନ ଡ୍ୟୁଟିକୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ ।

ଏହି ଘଟଣାକୁ ନେଇ ପ୍ରଭାତ କହିଛନ୍ତି ଯେ, ମାଆଙ୍କ ଦେହାନ୍ତ ଖବର ଶୁଣିବା ପରେ ସେ ଥରିବାକୁ ଲାଗିଥିଲେ । ପରେ ନିଜକୁ ବୁଝାଇଥିଲେ । ସେ ଯେଉଁ କାମ କରୁଥିଲେ ତାକୁ ଛାଡି ଘରକୁ ଯିବାକୁ ଠିକ୍ ମାନିନଥିଲେ ।

ସୂଚନାଯୋଗ୍ୟ, ପ୍ରଭାତ ଦୀର୍ଘ ୯ ବର୍ଷ ଧରି ୧୦୮ ଆମ୍ବୁଲାନ୍ସ ଚଲାଉଛନ୍ତି । ଗତବର୍ଷ ମୁମ୍ବାଇରେ ସେ କୋବିଡ୍ ଡ୍ୟୁଟିରେ ଯୋଗ ଦେଇଥିଲେ । ପରେ ଚାକିରୀ ଛାଡି ଦେଇଥିଲେ । ପଣି ଗତ ଏପ୍ରିଲରେ ସେ ଚାକିରୀରେ ଯୋଗ ଦେଇଥିଲେ ।

ଘଟଣାକୁ ନେଇ ମଥୁରା ପ୍ରୋଜେକ୍ଟ ମ୍ୟାନେଜର ଅଜୟ ସିଂ କହିଛନ୍ତି ଯେ, ପ୍ରଭାତ ଜଣେ ଭଲ କର୍ମଚାରୀ । ସେ ସୂଚରା ରୂପେ ନିଜର କର୍ମ ସମ୍ପାଦନ କରନ୍ତି । ସେ ତାଙ୍କୁ ମାଆଙ୍କ ଅନ୍ତିମ କ୍ରିୟା ପରେ କିଛି ଦିନ ଘରେ ରହିବାକୁ କହିଥିଲେ । କିନ୍ତୁ ସେ ଡ୍ୟୁଟିରେ ଯୋଗ ଦେଇ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହିଁଥିଲେ ବୋଲି ଅଜୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.