ଲକ୍ଷ୍ମୀସାଗରର ରୋଗୀଙ୍କୁ ଜଗତସିଂହପୁର ବଜାରରେ ଶୁଆଇଦେଇ ପଳାଇଲା ଆମ୍ବୁଲାନ୍ସ, ସଂକ୍ରମଣ ଆଶଙ୍କାରେ ଲୋକେ ଛାନିଆ

Published By : Prameya-News7 Bureau | April 10, 2020 IST

ଜଗତସିଂହପୁର ୧୦।୦୪: କଟକରୁ ରଘୁନାଥପୁର ଯିବା ପରିବର୍ତ୍ତେ ଏକ ଆମ୍ବୁଲାନ୍ସ ଜଗତସିଂହପୁର ମୁହାଁ ହୋଇ ଜନୈକା ରୋଗଗ୍ରସ୍ତା ବୟସ୍କା ମହିଳାଙ୍କୁ ସ୍ଥାନୀୟ ଥାନା ଛକ ସ୍ଥିତ ମହାଦେବ କ୍ଲବ ବାରଣ୍ଡାରେ ଶୁଆଇ ଦେଇ ଚମ୍ପଟ ମାରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ବୟସ୍କା ମହିଳା ଭୁବନେଶ୍ୱରର ଲକ୍ଷ୍ମୀସାଗର ହାଇସ୍କୁଲ ନିକଟରୁ ଆସିଥିବା ଜଣାପଡ଼ିବା ପରେ ସହରରେ ଭୟର ବାତାବରଣ ଖେଳି ଯାଇଛି । ଏହି ଅଭାବନୀୟ ତଥା ସ୍ପର୍ଶକତାର ଘଟଣା ଜାଣିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋଗଗ୍ରସ୍ତା ମହିଳାଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ସ୍ୱତନ୍ତ୍ର ଭାବେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଗୁରୁବାର ମଧ୍ୟାହ୍ନ ପରେ ଏହି ରୋଗଗ୍ରସ୍ତ ମହିଳାଙ୍କୁ ଡାକବଙ୍ଗଳା ଛକର ମହାଦେବ କ୍ଲବ ବାରଣ୍ଡାରେ ପଡ଼ି ରହିଥିବା ଅବସ୍ଥାରେ ଠାବ କରାଯାଇଥିଲା । ତାଙ୍କ ମୁହଁ, ଆଖି ଆଦି ଫୁଲି ଯାଇଥିଲା । ହାତରେ ଚିକିତ୍ସିତ ହେବା ସମୟର ଛୁଞ୍ଚି ଲାଗି ରହିଥିଲା । ତାଙ୍କ ନିକଟରେ ଅନ୍ୟ ଜଣେ ଅଣ ଓଡ଼ିଆ ବୟସ୍କ ବ୍ୟକ୍ତି ବସି ରହିଥିବା ଦେଖିବାକୁ ମିଳିଥିଲା । ଲକ୍‌ଡାଉନ୍‌ ଯୋଗୁଁ ରାସ୍ତାରେ ସେତେଟା ଗହଳି ଚହଳି ନ ଥିବାରୁ କଥାଟା କାହା ନଜରକୁ ଆସିନଥିଲା । ମାତ୍ର କିଛି କ୍ଷଣ ପରେ ଏଭଳି ଅଭାବନୀୟ ଦୃଶ୍ୟ ପ୍ରଘଟ ହେବା ପରେ ପୌର ନିର୍ବାହୀ ଅଧିକାରୀ ବିମଳ ଲେଙ୍କା, ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ପ୍ରଥମରୁ ଯେହେତୁ ମହିଳା ଜଣଙ୍କ କରୋନା ପ୍ରଭାବିତ ଲକ୍ଷ୍ମୀସାଗର ଅଞ୍ଚଳରୁ ଆସିଥିବା ଜାଣିବାକୁ ମିଳିଥିଲା, ସେଦୃଷ୍ଟିରୁ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ ସତର୍କତା ଅବଲମ୍ବନ କରିଥିଲେ । ପ୍ରଥମେ ମହିଳାଙ୍କ ସହ ଆସିଥିବା ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିଥିଲେ । ପରେ କିଭଳି ମହିଳା ଏଠାକୁ ଆସିଲେ ସେ ବିଷୟରେ ଟିକିନିଖି ବୁଝିଥିଲେ । ପୌର ନିର୍ବାହୀ ଅଧିକାରୀ ଶ୍ରୀ ଲେଙ୍କାଙ୍କ କହିବା ମୁତାବକ, ମହିଳା ଓ ସଂପୃକ୍ତ ବ୍ୟକ୍ତି ଠିକ୍‌ ଭାବେ କିଛି କହିପାରୁ ନାହାନ୍ତି । ତଥାପି ପଚରାଉଚରା ବେଳେ ମହିଳା ନିଜର ନାମ ଶାନ୍ତିଲତା ମହାନ୍ତି, ଘର ରଘୁନାଥପୁରର ରଣହତା କହୁଥିବା ବେଳେ ତାଙ୍କ ସହ ରହିଥିବା ବ୍ୟକ୍ତି ନିଜର ନାମ ବିନାୟକ ସିଂ,ଘର ବିହାର ବୋଲି ଜଣାଇଥିବା ନିର୍ବାହୀ ଅଧିକାରୀ ଶ୍ରୀ ଲେଙ୍କା ପ୍ରକାଶ କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, ଲକ୍ଷ୍ମୀସାଗର ହାଇସ୍କୁଲ ନିକଟରେ ଉଭୟ ମହିଳା ଓ ପୁରୁଷ ବ୍ୟକ୍ତି ଦୀର୍ଘ ଦିନରୁ ରହି ଆସୁଛନ୍ତି। କାମ କରି ମହିଳା ଗୁଜରାଣ ମେଣ୍ଟାଉଥିଲେ । ହେଲେ ଲକ୍‌ଡାଉନ୍‌ ଯୋଗୁଁ ଲକ୍ଷ୍ମୀସାଗରର ବମିଖାଲ, ଝାରପଡ଼ା ଆଦି ଅଞ୍ଚଳରେ ଉଭୟ କାମ ପାଇନଥିଲେ । ଏହା ଭିତରେ ବୟସ୍କା ମହିଳାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା । କୌଣସି ଉପାୟରେ ମହିଳାଙ୍କୁ କଟକ ଡାକ୍ତରଖାନାକୁ ନେଇ ଆସିଥିଲେ ସଂପୃକ୍ତ ବ୍ୟକ୍ତି । କଟକରୁ ଆଜି ଉଭୟ ଏକ ଆମ୍ବୁଲାନ୍ସରେ ରଘୁନାଥପୁରର ରଣହତା ଯିବା ବଦଳରେ ଜଗତସିଂହପୁର ପଳାଇ ଆସିଥିଲେ । ଆମ୍ବୁଲାନ୍ସ ଚାଳକ ହିଁ ରାସ୍ତା ଭାଙ୍ଗି ଏପଟକୁ ନେଇ ଆସିବା ସହ ଉଭୟଙ୍କୁ ଡାକ୍ତରଖାନାରେ ଛାଡ଼ିବା ବଦଳରେ ମହାଦେବ କ୍ଲବ ବାରଣ୍ଡା ନିକଟରେ ଛାଡ଼ି ଚମ୍ପଟ ମାରିଥିବା ଜାଣିବାକୁ ମିଳିଛି ।

ସଂପ୍ରତ୍ତି ମହିଳାଙ୍କ ଶରୀର ଅସୁସ୍ଥ ରହିଥିବା ଏବଂ ସେ କରୋନା ପ୍ରଭାବିତ ଲକ୍ଷ୍ମୀସାଗର ଅଞ୍ଚଳରୁ ଆସିଥିବାରୁ ପ୍ରଶାସନର ଚିନ୍ତା କିଛିଟା ବଢିଯାଇଛି । ତେବେ କେଉଁ ପରିସ୍ଥିତିରେ ମହିଳା ଓ ସଂପୃକ୍ତ ବୟସ୍କ ବ୍ୟକ୍ତି କଟକ ଆସିଲେ, କଟକରେ କେଉଁଠି ଚିକିତ୍ସିତ ହେଲେ ଏବଂ ଘରୋଇ କି ସରକାରୀ ଆମ୍ବୁଲାନ୍ସରେ ଏଠାକୁ ଆସିଲେ ତାହାର ଖୋଳତାଡ଼ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି । ଅପରପକ୍ଷେ ଆମ୍ବୁଲାନ୍ସ ଚାଳକ କାହିଁକି ବାରଣ୍ଡାରେ ରୋଗୀଙ୍କୁ ଛାଡ଼ି ଚାଲିଗଲେ ତାହା ମଧ୍ୟ ରହସ୍ୟଘେରରେ ରହୁଥିବାରୁ ଆଗକୁ ଏହା କେଉଁ ପରିସ୍ଥିତି ସୃଷ୍ଟି କରିବ ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.