ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ: ସ୍ୱାମୀ ସ୍ତ୍ରୀ ସମେତ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ, ୩ ଗୁରୁତର

Published By : Prameya-News7 Bureau | September 07, 2020 IST

ନାଳନ୍ଦା ୦୭/୦୯ : ବିହାର ନାଳନ୍ଦାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି | ଚଣ୍ଡୀ ଥାନା ଅନ୍ତର୍ଗତ ଗୌଡ଼ାପର ଅଞ୍ଚଳରେ ଛିଡା ହୋଇଥିବା ଏକ ଟ୍ରକକୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି | ଦୁର୍ଘଟଣାରେ ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି | ଚୈନପୁରା ଗାଁର ବିରୁ ପାଶୱାନଙ୍କ ସ୍ତ୍ରୀ ଶୋଭା ଦେବୀ ରବିବାର ବିଳମ୍ବିତ ରାତିରେ ଛାତରୁ ପଡିଯାଇଥିଲେ | ତାଙ୍କୁ ଚିକିତ୍ସା ପାଇଁ ବିହାର ସଦର ହସ୍ପିଟାଲ ନିଆଯାଇଥିଲା | ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିମ୍ସ ସ୍ଥାନାନ୍ତର କରାଯାଇଥିଲା | କିନ୍ତୁ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କୁ ବିମ୍ସ ନ ନେଇ ପାଟନା ନେଇ ଯାଉଥିଲେ |

ଚଣ୍ଡୀ ଥାନା ଅନ୍ତର୍ଗତ ଗୌଡ଼ାପର ଗାଁ ନିକଟରେ ଆମ୍ବୁଲାନ୍ସ ଡ୍ରାଇଭର ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ମାରିଥିଲେ | ଫଳରେ ଆମ୍ବୁଲାନ୍ସରେ ଥିବା ଶୋଭା ଦେବୀ, ତାଙ୍କ ସ୍ୱାମୀ ବିରୁ ପାଶୱାନ, ସୁଦାମ ପାଶୱାନ ଓ ଆଶା ଦେବୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି | ଆମ୍ବୁଲାନ୍ସରେ ଥିବା ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି | ଆହତମାନେ ଅଭିଯୋଗ କରିଛନ୍ତି ଯେ ଡ୍ରାଇଭର ନିଶାରେ ଥିଲା ଓ ଦ୍ରୁତ ଗତିରେ ଆମ୍ବୁଲାନ୍ସ ଚଲାଉଥିଲା | ଘଟଣା ସମ୍ପର୍କରେ ସୂଚନା ପାଇ ଚଣ୍ଡୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ବିହାର ସରିଫ ସଦର ହସ୍ପିଟାଲ ନେଇଥିଲା | ଘଟଣା ପରେ ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.