କୋଭିଡ ରୋଗୀ ସ୍ଥାନାନ୍ତର ପାଇଁ ଟଙ୍କା ମାଗି ଡ୍ରାଇଭର ଗିରଫ : ୨ କିଲୋମିଟର ନେବାକୁ ମାଗିଥିଲେ ୮୫୦୦

Published By : Prameya-News7 Bureau | May 02, 2021 IST

ନୂଆଦିଲ୍ଲୀ ୨/୫: କୋଭିଡ ମହାମାରୀ ସମୟରେ କିଛି ଖଳ ପ୍ରକୃତିର ଲୋକ ଏହାର ଭରପୁର ଫାଇଦା ନେଉଛନ୍ତି । ଯେମିତିକି ଅକ୍ସିଜେନ ଅଭାବ ସମୟରେ କଳାବଜାରୀ ଜୋରଦାର ଚାଲିଛି । ଠିକ୍ ସେମିତି କିଛି ସ୍ଥାନରେ ଆମ୍ୱୁଲାନ୍ସ ଡ୍ରାଇଭର ବି କମ୍ ଅତ୍ୟାଚାର କରୁନାହାନ୍ତି । ଏମିତି ଅଭିଯୋଗରେ ଦିଲ୍ଲୀ ସରିତା ନଗର ଥାନା ପୋଲିସ ଜଣେ ଡ୍ରାଇଭ୍ରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଡ୍ରାଇଭର ଜଣଙ୍କ କୋଭିଡ ରୋଗୀଙ୍କୁ ଗୋଟିଏ ହସ୍ପିଟାଲରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଲାଞ୍ଚ ମାଗୁଥିଲେ । ତେବେ ଏମିତି ସେମିତି ଲାଞ୍ଚ ନୁହେଁ ଏକାଥରେ ୧୦ ଗୁଣା ଅଧିକ ଦାମ ମାଗୁଥିଲେ । ଠିକ ଏହି ସମୟରେ ପୋଲିସ ହାବୁଡରେ ପଡିଯାଇଥିଲେ। ଅଭିଯୁକ୍ତ ଡ୍ରାଇଭର ଜଣଙ୍କ ହେଉଛନ୍ତି ଗାଜିୟାବାଦ ନିବାସୀ ୩୦ ବର୍ଷୀୟ ପ୍ରମୋଦ କୁମାର । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆମ୍ୱୁଲାନ୍ସକୁ ମଧ୍ୟ ଜବତ କରିଛି । ସ୍ଥାନୀୟ ଆପୋଲୋ ହସ୍ପିଟାଲରୁ ହୋଲି ଫ୍ୟାମିଲି ହସ୍ପିଟାଲକୁ ରୋଗୀ ନେବା ପାଇଁ ସେ ୮୫୦୦ ଟଙ୍କା ଦାବି କରୁଥିଲେ। ପୋଲିସ ଠିକ୍ ସମୟରେ ପହଞ୍ଚି ତାକୁ ଧରିପକାଇଥିଲା । ଏପରିକି ପଇସା ମଧ୍ୟ ଜବତ ହୋଇଛି । ଅଭିଯୁକ୍ତ ପ୍ରମୋଦକୁ ଠକେଇ ଓ ଚୋରା ଚାଲାଣ ମାମଲା ରୁଜୁ ହୋଇଛି । ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.