ବିଶ୍ବକପ୍‌ରେ ଖେଳିବାକୁ ନମିଳିବାରୁ କ୍ରିକେଟ୍‌ରୁ ଅମ୍ବାତି ରାୟିଡୁଙ୍କ ସନ୍ୟାସ, ବିଶ୍ବକପ୍ ପରେ ପରେ ଧୋନି ମଧ୍ୟ ନେଇପାରନ୍ତି ସମାନ ନିଷ୍ପତ୍ତି

Published By : Prameya-News7 Bureau | July 03, 2019 IST

ନୂଆଦିଲ୍ଲୀ ୩|୭: ଖେଳ ସରି ସରି ଆସିବା ବେଳକୁ ଖେଳ ବି ଜମି ଜମି ଆସୁଛି।  ଆଉ ଏତିକିବେଳେ କିଏ ଆଉଟ ହେବ ଆଉ କିଏ ନୂଆ ରଣନୀତିରେ ଯିବ ତାହା ସ୍ପଷ୍ଟ ହେଉଛି।  ଶୁଣିବାକୁ ମିଳିଲାଣି ଏହି ବିଶ୍ବକପ ପରେ ଧୋନି କୁଆଡ଼େ କ୍ରିକେଟକୁ ଅଲବିଦା କହିବେ। ସେପଟେ  ସିଲେକ୍ଟରଙ୍କ ଦ୍ବାରା ବାରମ୍ବାର ଉପକ୍ଷିତ ହୋଇ ଅମ୍ବାତି ରାୟଡୁ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । …

କାହିଁକି ଅମ୍ବାତି ରାୟଡୁ କ୍ରିକେଟରୁ ଅବସର ନେଲେ। କଣ ଏହା ଅଭିମାନ, ନା ରାଗ ନା ସତରେ ସେ ତାଙ୍କ ଭବିଷ୍ୟତ ନେଇ ସନ୍ଦିହାନ ହୋଇ ଉଠିଲେ।  ଗତ କିଛି ଦିନ ଧରି ଚର୍ଚ୍ଚାରେ ରହି ଆସିଥିଲେ ରାୟଡୁ। ବିଶ୍ବକପ୍ ଦଳରେ ତାଙ୍କୁ ଚୟନ ନକରାଯିବାକୁ ନେଇ ଅସନ୍ତୁଷ୍ଟ ଥିଲେ । ଚୟନ ନହେବାକୁ ନେଇ ପରୋକ୍ଷରେ ଟ୍ବିଟ୍‌ କରି ବିସିସିଆଇକୁ ତେରଛା ସମାଲୋଚନା କରିଥିଲେ ।

ରାଇଡୁ ବିଶ୍ବକପ୍‌ରେ କାହିଁକି ସ୍ଥାନ ପାଇଲେ ନାହିଁ ତାକୁନେଇ ଚାଲିଥିଲା ଡିବେଟ୍‌ । ପରେ ତାଙ୍କୁ ରିଜର୍ଭ ଖେଳାଳି ଭାବେ ରଖିଥିଲା ବିସିସିଆଇ । ବିଶ୍ବକପରେ ଶିଖର ଧୱନ ଆହତ କାରଣରୁ ବାଦ୍‌ ପଡ଼ିବା ପରେ ଅମ୍ବାତି ରାୟଡୁଙ୍କ ଦଳରେ ନିଆଯିବ ବୋଲି ଆଶା କରାଯାଉଥିଲା । ହେଲେ ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ସାମିଲ କରାଯାଇଥିଲା । ଏପରିକି ବିଜୟ ଶଙ୍କର ଆହତ ହେବା ପରେ ବି ରାଇଡୁଙ୍କୁ ନିଆନଯାଇ ମୟଙ୍କ ଅଗ୍ରୱାଲ୍‌ଙ୍କୁ ନିଆଗଲା। ଯାହାକୁ ସହ୍ୟ କରିପାରିନଥିଲେ ରାଇଡୁ ।

ସେ ବିସିସିଆଇ ଜେନେରାଲ୍ ମ୍ୟାନେଜର ସବା କରିମ୍‌ଙ୍କୁ ଇମେଲ୍‌ କରି କ୍ରିକେଟର ସବୁ ଫର୍ମାଟରୁ ଅବସର ନେଉଥିବା ଜଣାଇଛନ୍ତି । ମିଡିଲ୍‌ ଅର୍ଡରରେ ଖେଳୁଥିବା ରାଇଡୁ ଭାରତ ପାଇଁ ୫୫ ଟି ୱାନ୍‌ଡେ ଖେଳି ୪୭.୦୫ ହାରରେ ୧୬୯୪ ରନ୍ କରିଛନ୍ତି । ଯେଉଥିରେ ରହିଛି ୩ଟି ଶତକ ଓ ୧୦ ଟି ଅର୍ଦ୍ଧଶତକ । ସେହିପରି ଦେଶ ପାଇଁ ୬ଟି ଟି-ଟ୍ବେଣ୍ଟିଂ ଖେଳିଛନ୍ତି ରାଇଡୁ । ଏଥିସହ ସେ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌, ହାଇଦ୍ରାବାଦ୍‌ ହିରୋସ୍‌, ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବି ଖେଳିଛନ୍ତି । 

ସେପେଟ ବିଶ୍ବକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଧୋନି ଅବସର ନେବେ ବୋଲି ଜାତୀୟ ଗଣ ମାଧ୍ୟମରେ ଖୁବ୍‌ ଜୋରରେ ଚର୍ଚ୍ଚା ଚାଲିଛି । ଚଳିତ ବିଶ୍ବକପ୍‌ରେ ଧୋନୀଙ୍କ ପ୍ରଦର୍ଶନ ନେଇ କ୍ରିକେଟ୍‌ ଫ୍ୟାନ୍ ତାଙ୍କୁ  ସମାଲୋଚନା କରିଛନ୍ତି। ଧୋନୀ ଏବେ ସୁଦ୍ଧା ବିଶ୍ବକପ୍‌ରେ ୭ଟି ମ୍ୟାଚ୍‌ରୁ ୪୪.୬୦ ହାରରେ ୨୨୩ ରନ୍‌ କରିଛନ୍ତି । ଭଲ ଫିନିସର ଭାବେ ଥିବା ରେକର୍ଡକୁ ଧୋନୀ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦେଖାଇ ନପାରିବା, ଆଫଗାନିସ୍ତାନ, ବାଂଲାଦେଶ  ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଠାରୁ ଆଶା କରାଯାଉଥିବା ବଡ ସଟ୍‌ ସେ ଖେଳି ନପାରିବାକୁ ନେଇ ଅନେକ ତାଙ୍କୁ ସମାଲୋଚନା କରିଛନ୍ତି ।

ଏପରିକି କିଛି ପୂର୍ବତନ କ୍ରିକେଟର ମଧ୍ୟ ଧୋନୀଙ୍କ, ସ୍ପୃହାହୀନ ଗେମ୍‌ ଖେଳୁଥିବା ନେଇ ଟ୍ବିଟରରେ ସମାଲୋଚନା କରିଛନ୍ତି । ତେଣୁ ଧୋନୀ ବିଶ୍ବକପ୍‌ ପରେ କ୍ରିକେଟ୍‌ରୁ ଅବସର ନେଇଯିବା ଉଚିତ୍‌ ବୋଲି କିଛି ପୂର୍ବତନ କ୍ରିକେଟର କହିଛନ୍ତି । ଏପରିକି ବିସିସିଆଇ ର ଜଣେ ଚୟନକର୍ତ୍ତା ମଧ୍ୟ ଆସନ୍ତା ଟି-ଟ୍ବେଣ୍ଟିଂ ବିଶ୍ବକପ୍‌ରେ ଧୋନୀଙ୍କୁ ଆଉ ସୁଯୋଗ ମିଳିନପାରେ ବୋଲି କହିସାରିଛନ୍ତି । ଏଥିରୁ ଆଶା କରାଯାଉଛି ଧୋନୀଙ୍କର ଏହା ଶେଷ ବିଶ୍ବକପ୍‌ ହେବ ଏବଂ ଭାରତ ଏଥର ବିଶ୍ବକପ୍ ଜିତି ଧୋନୀଙ୍କୁ ଖୁସିରେ ଖୁସିରେ ବିଦାୟ ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.