ଏହି ଦେଶରେ ମାତୃହରା ହେଉଛନ୍ତି ଶିଶୁ, ଜନ୍ମ ପରେ ଦେଖିପାରିବେ ନାହିଁ ମା’ର ମୁହଁ

Published By : Prameya-News7 Bureau | May 09, 2021 IST

ନୂଆଦିଲ୍ଲୀ ୯/୫: ବିଶ୍ବରେ ପ୍ରଥମେ କରୋନା ଭୂତାଣୁର ପ୍ରଭାବ ବୟସ୍କଙ୍କ ଉପରେ ପଡ଼ୁଥିଲା। ଅନେକ ଜୀବନହାନୀ ଘଟିଲା । ଏବେ ବି କରୋନା ବିଶ୍ବରେ ସଂହାର ଲୀଳା ଚଳାଇଛି। ଲକ୍ଷ ଲକ୍ଷ ଲୋକେ ପ୍ରାଣ ହରାଉଛନ୍ତି । ଆଜି ସାରା ବିଶ୍ବ ମାତୃ ଦିବଦ ପାଳୁଛି । କିନ୍ତୁ ବ୍ରାଜିଲ୍‌ରେ ଏବେ ମା’ମାନଙ୍କ ଜୀବନ ନେଉଛି କରୋନା। ଏବେ ଏମିତି ପିଲା ଜନ୍ମ ନେଉଛନ୍ତି ଯେଉଁମାନଙ୍କ ପାଖରେ ମା’ ଆଉ ନାହିଁ। ପିଲାଙ୍କ ପାଖରୁ ମାଙ୍କୁ ଛଡ଼ାଇ ନେଉଛି କରୋନା।

ମଦର୍ସ ଡେ’ରେ ଏହା ଏକ ହୃଦୟ ବିଦାରକ ଖବର ଯାହାକି ବ୍ରାଜିଲ୍‌ରେ ୪୦,୩୦ ଏବଂ ୨୦ ବର୍ଷୀୟ ଅନେକ ମହିଳା ମା ହେବା ପୂର୍ବରୁ ଏବଂ ପରେ ମୃତ୍ୟୁବରଣ କରୁଛନ୍ତି । ଏଥିପାଇଁ ଅନେକ ନବଜାତକ ମାତୃହରା ହୋଇଯାଉଛନ୍ତି। ଏସସିଏମପି ନ୍ୟୁଜ୍‌ର ରିପୋର୍ଟ ଅନୁସାରେ ଚଳିତବର୍ଷର ୪ ମାସରେ ୫୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇସାରିଛି। ଯାହାକି ଗତବର୍ଷ ତୁଳନାରେ ଢ଼େର ଅଧିକ।

ଗର୍ଭବତୀ ମହିଳା ଏବଂ ନବଜାତକଙ୍କ ଉପରେ ଗବେଷଣା କରୁଥିବା ଏକ ଗ୍ରୁପ୍‌ ଅନୁସାରେ ୨୦୨୦ର ୯ ମାସରେ ଏତେ ମୃତ୍ୟୁ ହୋଇନଥିଲା ଯାହା ଏହି ୪ ମାସରେ ହୋଇଛି। ବ୍ରାଉନ୍‌ ବିଶ୍ବବିଦ୍ୟାଳୟର ଗବେଷକଙ୍କ ମତରେ ପୂର୍ବରୁ ବ୍ରାଜିଲ୍‌ରେ ଗର୍ଭବତୀଙ୍କ ଚିକିତ୍ସା କ୍ଷେତ୍ରରେ ଭଲ ଚିକିତ୍ସା ବ୍ୟବସ୍ଥା ନାହିଁ। କରୋନା କାଳରେ ନୂଆ ଭାରିଏଣ୍ଟ ଆମାଜୋନିଆ ମିଳିବା ପରେ ପରିସ୍ଥିତି ଆହୁରି ବିଗିଡ଼ିଯାଇଛି।

ଧ୍ବସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ଏବଂ କରୋନାର ନୂଆ ରୂପ ଏବେ ବିଶେଷ କରି ମା’ ହେବାକୁ ଯାଉଥିବା ମହିଳାମାନଙ୍କ ଉପରେ ପଡ଼ୁଛି। ଏବେ ଏହି ଭାରିଏଣ୍ଟର ପ୍ରଭାବ ବଢ଼ି ବଢ଼ି ଯାଉଛି। ଲାଟିନ୍‌ ଆମେରିକାର ବାକି ଅଂଶରେ ଏହି ଭାରିଏଣ୍ଟର ପ୍ରଭାବ ଦେଖିବାକୁ ମିଳିଲାଣି। ଭାରତ ଏବଂ ଆମେରିକା ଭଳି ବ୍ରାଜିଲ୍‌ରେ ମଧ୍ୟ ଅକ୍ସିଜେନ୍‌ ସଙ୍କଟ ଦେଖାଦେଇଛି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ପ୍ରସବ ସମୟରେ ଏବଂ ପରେ ଅକ୍ସିଜେନ୍‌ର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିପକାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.