ମହାରାଷ୍ଟ୍ର ବିଜେପି ସାଂସଦଙ୍କ ଅଜବ ବୟାନ, କହିଲେ- ମୋ ପଛରେ ED ପଡିବ ନାହିଁ, କାରଣ ମୁଁ...

Published By : Prameya-News7 Bureau | October 25, 2021 IST

ମୁମ୍ବାଇ ୨୫।୧୦: ମହାରାଷ୍ଟ୍ର ବିଜେପିର ସାଂସଦ ସଞ୍ଜୟ ପାଟିଲ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ବନ୍ଧରେ ବିବାଦୀୟ ବୟାନ ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରୁ ସାଂସଦ ସଞ୍ଜୟ ପାଟିଲ୍‌ ନିଜ ବୟାନରେ କହିଛନ୍ତି, ମୁଁ ବିଜେପିର ସାଂସଦ ଏଥିପାଇଁ ଇଡି ମୋ ପଛରେ ପଡିବ ନାହିଁ। ପାଟିଲ୍ ମଜାଳିଆ ଢଙ୍ଗରେ କହିଛନ୍ତି, ଆମକୁ ଲୋକ ଦେଖାଣିଆ ପାଇଁ ୪୦  ଲକ୍ଷ ଟଙ୍କାର କାର କିଣିବା ପାଇଁ ଲୋନ ନେବାକୁ ମଧ୍ୟ ପଡିଥାଏ। ଏମିତିରେ ଆମେ ଯେତେ ଖର୍ଚ୍ଚ କରୁଛୁ ଏହାକୁ ଦେଖି ଇଡି ମଧ୍ୟ ହଇରାଣ ମଧ୍ୟ ହୋଇଯିବ।

ସଞ୍ଜୟ ପାଟିଲଙ୍କ ଏହି ଆପତ୍ତିଜନକ ବୟାନ ପରେ ମହାରାଷ୍ଟ୍ର କଂଗ୍ରେସ ତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି। ରାଜ୍ୟ କଂଗ୍ରେସର ନବ ନିଯୁକ୍ତ ମୁଖ୍ୟ ପ୍ରବକ୍ତା ଅତୁଲ ଲୋଣ୍ଢେ ସଞ୍ଜୟ ପାଟିଲଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ପାର୍ଟିଲଙ୍କ ବୟାନରୁ ସ୍ପଷ୍ଟ ହୋଇଛି ଯେ, ବିଜେପି  ନିଜର ସାଂସଦ କିମ୍ବା ବିଧାୟକଙ୍କ ଉପରେ ତଦନ୍ତ ଏଜେନ୍ସିର ବ୍ୟବହାର କରିବାକୁ ଦେବ ନାହିଁ।  ମାତ୍ର ବିରୋଧୀ ଦଳର ନେତାଙ୍କ ଉପରେ ଏହାର ଦୁରୁପଯୋଗ ବେଶ୍ ଭଲ ଭାବେ କରି ପାରିବ।

ଲୋଣ୍ଢେ କହିଛନ୍ତି, ଏବେ ଅଦାଲତଙ୍କୁ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେବା ଉଚିତ୍। ଯଦ୍ଵାରା ଏଜେନ୍ସିର ଦୁରୁପଯୋଗ ଉପରେ ଲଗାମ ଲଗାଯାଇ ପାରିବ। ପାଟିଲ ଏକ ମାତ୍ର ବିଜେପି ନେତା ନୁହନ୍ତି ଯିଏ ଏହି ପ୍ରକାରର ବୟାନ ଦେଇଛନ୍ତି। ତାଙ୍କ ପୂର୍ବରୁ ମହାରାଷ୍ଟ୍ରର ଅନ୍ୟ ଜଣେ ବିଜେପି ନେତା ହର୍ଷବର୍ଦ୍ଧନ ପାଟିଲ୍ ମଧ୍ୟ ଏହି ପରି ବୟାନ ଦେଇଥିଲେ। ସେ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.