କିସମିସ୍ ଖାଆନ୍ତୁ : ଆନିମିଆରୁ ରକ୍ଷା ପାଆନ୍ତୁ
17/12/2018 at 4:07 PM

ଯଦି ଆପଣ ପ୍ରତିଦିନ କିସମିସ୍ ଏବଂ ବାଦାମ ଖାଉଛନ୍ତି ତେବେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ। କିନ୍ତୁ ଯଦି ଆପଣ ରାତିରୁ କିସମିସ୍ ବତୁରାଇ ଖାଉଛନ୍ତି ତେବେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆପଣ ୧୦ଟି କିସମିସକୁ ରାତିରେ ବତୁରାଇ ସକାଳେ ଖାଇବେ ତେବେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିବ। ଏହା ଶରୀରକୁ ମଧ୍ୟ ସୁସ୍ଥ ରଖିବ।
କିସମିସ ଖାଇବାର ସବୁଠୁ ଭଲ ଉପାୟ ହେଉଛି କିସମିସକୁ ରାତିରେ ବତୁରାଇ ସକାଳେ ଫୁଲିଗଲେ ଖାଆନ୍ତୁ ଏବଂ ଏହାର ପାଣିକୁ ମଧ୍ୟ ପିଇ ଦିଅନ୍ତୁ। ଏହି ଭିଜା କିସମିସରେ ଆଇରନ,ପୋଟାସିୟମ୍,କ୍ୟାଲସିୟମ୍,ମ୍ୟାଗ୍ନେସିୟମ୍ଏବଂ ଫାଇବର୍ ପ୍ରଚୁର ପରିମାଣରେ ରହିଥାଏ। ଏଥିରେ ରହିଥିବା ସୁଗାର ପ୍ରାକୃତିକ ଏବଂ ଏଥି ପାଇଁ ଏହା ଶରୀର ପକ୍ଷେ ହିତକାରକ ହୋଇଥାଏ , କିନ୍ତୁ ମଧୁମେହ ରୋଗୀ କିସମିସ ଖାଇବା ଅନୁଚିତ୍। ଶୁଖିଲା ଅଙ୍ଗୁରକୁ କିସମିସ୍ କୁହାଯାଇଥାଏ। ଏହା ବିଭିନ୍ନ ରଙ୍ଗର ହୋଇଥାଏ ଯଥା ସୁନେଲି,ସବୁଜ ଏବଂ କଳା। ଏହା ବ୍ୟତୀତ ଆପଣ କେତେକ ତରକାରୀକୁ ସ୍ବାଦିଷ୍ଟ କରିବା ପାଇଁ କିସମିସକୁ ବ୍ୟବହାର କରି ପାରିବେ।
ରାତିରେ ବତୁରା ହୋଇଥିବା କିସମିସ ଖାଇଲେ ଏବଂ ଏହାର ପାଣି ପିଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ବାହାରର ଜୀବାଣୁ ସହ ଲଢ଼ିବାରେ ସକ୍ଷମ ହୋଇଥାଏ ଏବଂ ବ୍ୟାକ୍ଟେରିଆ ଆମ ଶରୀରକୁ ପ୍ରବେଶ କରିପାରେ ନାହିଁ।
ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଏହି ବତୁରା ହୋଇଥିବା କିସମିସ୍ ଲାଭଦାୟକ ହୋଇଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ଏଥିରେ ଥିବା ପୋଟାସିୟମ୍ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେଇଥାଏ।
ଏହା ଦ୍ବାରା ଆପଣ ଆନିମିଆରୁ ରକ୍ଷା ପାଇବେ କାରଣ କିସମିସ୍ ଆଇରନର ପ୍ରମୁଖ ଉପାଦାନ ଅଟେ। ଏହା ସହ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି କମ୍ପ୍ଲେକ୍ସ୍ ଥାଏ। ଏହା ରକ୍ତର ମାତ୍ରାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।
ଏହା ହଜମ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ଏଥିରେ ଖଣିଜ ଲବଣ ପ୍ରଚୁର ପରିମାଣରେ ରହିଥାଏ। ଏହା ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ। ଗୋଟିଏ କଥା ମନେ ରଖନ୍ତୁ ଯେ ବତୁରା ହୋଇଥିବା କିସମିସରେ କ୍ୟାଲୋରୀର ମାତ୍ରା ଅଧିକ ରହିଥାଏ। ସେଥିପାଇଁ ଏହାକୁ ବେଶୀ ଖାଆନ୍ତୁ ନାହିଁ।