ଜୁଲାଇରୁ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା : ମାତ୍ର ୧୦,୦୦୦ଭକ୍ତଙ୍କୁ ଯିବାକୁ ମିଳିବ ଅନୁମତି

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୬/୭: ଜୁଲାଇ ୨୧ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହୋଇପାରେ। ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଆଧାରରେ ବାବା ବରଫାନିଙ୍କ ଯାତ୍ରା ଆରମ୍ଭ ହେବାର ଆଭାସ ମିଳିଛି। କେବଳ ୧୦,୦୦୦ଶ୍ରଦ୍ଧାଳୁଙ୍କୁ ଯାତ୍ରା କରିବାର ଅନୁମତି  ରହିଛି। ଏହାକୁ ଦୃଷ୍ଟି​‌ରେ ରଖି ସୁରକ୍ଷାର ପୂରା ବ୍ୟବସ୍ଥା କରାଯାଉଛି।

କୁହାଯାଉଛି ଯେ ଏଥର କେବଳ ବାଲଟାଲ ପଥରେ ଅମରନାଥ ଯାତ୍ରା ହେବ। ହେଲିକପ୍ଟର ଦ୍ବାରା ଯାତ୍ରା ଉପରେ ମଧ୍ୟ ବିଚାର କରାଯାଉଛି,କିନ୍ତୁ ଏବେ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଗୋଟିଏ ଦିନରେ ଗୁମ୍ଫା ଯାଏଁ ୫୦୦ଶ୍ରଦ୍ଧାଳୁଙ୍କୁ ଯିବାର ଅନୁମତି ମିଳିବ। ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ କରୋନା ଯାଞ୍ଚ କରିବାକୁ ପଡ଼ିବ।

ଯେବେ ଯାଏଁ ଶ୍ରଦ୍ଧାଳୁଙ୍କ ରିପୋର୍ଟ ନେଗେଟିଭ ନ ଆସୁଛି,ତାଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡ଼ିବ। ୫୫ବର୍ଷରୁ କମ୍ ବୟସର ଭକ୍ତଙ୍କୁ ହିଁ ଅନୁମତି ଦେବାକୁ ବିଚାର ଚାଲିଛି। ଅନଲାଇନ୍ ପଞ୍ଜୀକରଣର ବ୍ୟବସ୍ଥା ହୋଇପାରେ। କୁହାଯାଉଛି ଯେ ପାଖାପାଖି ୨ସପ୍ତାହ ଅମରନାଥ ଯାତ୍ରା ହେବ ଅର୍ଥାତ୍ ଯାତ୍ରା ଅଗଷ୍ଟ ୩ଯାଏଁ ଚାଲିବ।

ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ କଠୁଆର ଲଖନପୁରରେ ଟେଷ୍ଟ୍ ହେବ। ଏହା ସହିତ ବୟସ୍କ ଲୋକଙ୍କ ଯାତ୍ରା ଉପରେ ରୋକ ଲାଗିପାରେ। ଲଖନପୁରରୁ ଆସୁଥିବା ଭକ୍ତଙ୍କ ଟେଷ୍ଟ,ରହିବା ବ୍ୟବସ୍ଥା ଏବଂ ଖାଦ୍ୟ-ପେୟ ପ୍ରସ୍ତୁତିରେ ପ୍ରଶାସନ ଜୁଟି ଯାଇଛି।

ଏହି ସମୟରେ ଜାମ୍ମୁରେ ଅମରନାଥ ଯାତ୍ରାର ବେସ୍ କ୍ୟାମ୍ପ ‘ଯାତ୍ରୀ ନିବାସ ଭବନ’କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ସ୍ଥାନାନ୍ତର କରାଯାଇଥିଲା,ଯାହାକୁ ଏବେ ତୀର୍ଥଯାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯିବ। ପ୍ରଶାସନ ଯାତ୍ରୀ ନିବାସ ଭବନକୁ ପୂରାପୂରି ସାନିଟାଇଜ କରିବା ଏବଂ ତୀର୍ଥଯାତ୍ରୀଙ୍କ ରହିବା ଯୋଗ୍ୟ କରିବା ପାଇଁ ନିର୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.