ଗାଦି ଛାଡ଼ିବା ପରେ କ୍ୟାପ୍ଟେନଙ୍କ ବଡ଼ ଶପଥ: ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଦେବିନି, ସବୁକିଛି ବାଜିରେ ଲଗାଇ ଦେବି

Published By : Prameya-News7 Bureau | September 22, 2021 IST

ଚଣ୍ଡିଗଡ଼ ୨୨/୦୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ପୂର୍ବତନ ସିଏମ କ୍ୟାପ୍ଟେନ ଅମରିନ୍ଦର ସିଂହ ନବଜୋତ ସିଂହ ସିଦ୍ଧୁ ଏବଂ କଂଗ୍ରେସର ହାଇକମାଣ୍ଡଙ୍କ ଉପରେ ବର୍ଷିଛନ୍ତି। ସିଦ୍ଧୁଙ୍କୁ ଟାର୍ଗେଟ କରି ଅମରିନ୍ଦର କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ହୋଇନପାରନ୍ତୁ ସେଥିପାଇଁ ଯାହା ବଳିଦାନ ଦେବାକୁ ପଡ଼ିବ ଦେବି। ଏହା ବ୍ୟତୀତ ରାହୁଲ ଓ ପ୍ରିୟଙ୍କାଙ୍କ ପାଖରେ ଅନୁଭବ ନାହିଁ ଏବଂ ତାଙ୍କ ପରାମର୍ଶଦାତା ସେମାନଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ମଧ୍ୟ କହିଛନ୍ତି କ୍ୟାପ୍ଟେନ ଅମରିନ୍ଦର।

ଅମରିନ୍ଦର ସଂହଙ୍କ ମିଡିଆ ପରାମର୍ଶଦାତା ଏନେଇ ଟ୍ବିଟ୍‌ କରିଛନ୍ତି। ଏହା ସହ କ୍ୟାପ୍ଟେନଙ୍କ ପକ୍ଷରୁ ଟ୍ବିଟ୍‌ରରେ ଲେଖାଯାଇଛି, ‘୨୦୨୨ରେ ସିଦ୍ଧୁଙ୍କୁ ହରାଇବା ପାଇଁ ମଜଭୁତ ପ୍ରାର୍ଥୀ ଦେବି। ଯଦି ନବଜୋତ ସିଂହ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚେହେରା ହୁଅନ୍ତି ତେବେ ପଞ୍ଜାବରେ କଂଗ୍ରେସ ଦୁଇ ଅଙ୍କ ଛୁଇଁବା ମୁସ୍କିଲ। ’ ଅନ୍ୟ ଏକ ଟ୍ବିଟ୍‌ରେ ଲେଖାହୋଇଛି, ‘ମୁଁ ଜିତିବା ପରେ ରାଜନୀତି ଛାଡ଼ିବାକୁ ପ୍ରସ୍ତୁତ ଥିଲି କିନ୍ତୁ ହାରିବା ପରେ କଦାପି ନୁହେଁ। ୩ ସପ୍ତାହ ପୂର୍ବରୁ ମୁଁ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିଲି କିନ୍ତୁ ସେ ମୋତେ ପଦରେ ରହିବାକୁ କହିଥିଲେ।  ଯଦି ସେ ମୋତେ ଫୋନ୍‌ କରି ପଦ ଛାଡ଼ିବାକୁ କହିଥାନ୍ତେ ତେବେ ମୁଁ ଏମିତି କରିଦେଇଥାନ୍ତି।’ 

କଂଗ୍ରେସ ହାଇକମାଣ୍ଡଙ୍କୁ ଟାର୍ଗେଟ କରି କ୍ୟାପ୍ଟେନ କହିଛନ୍ତି, ‘ପ୍ରିୟଙ୍କା ଏବଂ ରାହୁଲ ମୋ ପିଲାଙ୍କ ଭଳି। ମୁଁ ଦୁଃଖି ଅଛି। ତଥ୍ୟ ଏମିତି ଅଛି ଯେ, ଭାଇ-ଭଉଣୀ ଅନୁଭବହୀନ ଏବଂ ସେମାନଙ୍କ ପରାମର୍ଶଦାତା ଭୁଆଁ ବୁଲାଉଛନ୍ତି।’  ଅମରିନ୍ଦର ସିଂହ ଚତୁର୍ଥ ଟ୍ବିଟ୍‌ରେ ଲେଖିଛନ୍ତି, ‘ କେସି ବେଣୁଗୋପାଳ, ଅଜୟ ମାକନ କିମ୍ବା ସୁରେଜଓ୍ବାଲା କାହିଁକି ଧାର୍ଯ୍ୟ କରିବେ କିଏ କେଉଁ ମନ୍ତ୍ରାଳୟ ପାଇଁ ଫିଟ୍‌। ମୁଁ ମୁଖ୍ୟମନ୍ତ୍ରୀ ଥିଲି ତେଣୁ ମନ୍ତ୍ରୀମାନଙ୍କୁ ସେମାନଙ୍କ ଜାତି ଆଧାରରେ ନୁହେଁ ବରଂ ସେମାନଙ୍କ ପ୍ରଭାବ ଏବଂ କାର୍ଯ୍ୟଦକ୍ଷତା ଆଧାରରେ ନିଯୁକ୍ତ କରିଥିଲି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.