ମଧ୍ୟାହ୍ନ ଭୋଜନରେ ସିଦ୍ଧୁଙ୍କୁ ମନାଇବାକୁ ଉଦ୍ୟମ, ମନ୍ତ୍ରୀ ପଦ ଯାଚିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର

Published By : Prameya-News7 Bureau | November 26, 2020 IST

ଚଣ୍ଡିଗଡ,୨୬|୧୧: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ପୂର୍ବତନ ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପୁଣି ମନ୍ତ୍ରୀ ମଣ୍ଡଳରେ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ସିଦ୍ଧୁଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅମରିନ୍ଦର ବୁଧବାର ଦ୍ୱିପହରରେ ସିଦ୍ଧୁଙ୍କୁ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ । ଏହି ଭୋଜନ ପରେ ମନୋମାଳିନ୍ୟ ଦୂର ହେବା ସହ ସିଦ୍ଧୁଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ପାଇଁ ଅମରିନ୍ଦର ଚାହୁଁଥିବା ଅନୁମାନ କରାଯାଉଛି ।

ବୁଧବାର ଉଭୟ ନେତାଙ୍କ ମଧ୍ୟରେ ଭୋଜନ ସମୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଅମରିନ୍ଦର ସିଦ୍ଧୁଙ୍କ ସହ ସାମ୍ପ୍ରତିକ ରାଜନୀତି ଉପରେ ବେସ୍ ଚର୍ଚ୍ଚା କରିଥିଲେ । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା । ଏହାସହ ସିଦ୍ଧୁଙ୍କୁ ପୁଣି ମନ୍ତ୍ରୀ ମଣ୍ଡଳରେ ସାମିଲ କରିବାକୁ ଅମରିନ୍ଦର ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏହି ପ୍ରସଙ୍ଗରେ ସିଦ୍ଧୁ ନୀରବତା ଅବଲମ୍ବନ କରିଛନ୍ତି । କୁହାଯାଉଛି ଯେ, ସିଦ୍ଧୁ ଅମରିନ୍ଦରଙ୍କ ସମସ୍ତ କଥା ଶୁଣିବେ କିନ୍ତୁ ନିଜ ଇଚ୍ଛାରେ ହିଁ ନିଷ୍ପତ୍ତି ନେବେ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ରବିନ ଠୁକରାଲ କହିଛନ୍ତି ଯେ, ଦୁଇ ନେତାଙ୍କ ମଧ୍ୟରେ ଜରୁରୀ ଆଲୋଚନା ହୋଇଛି । ପଞ୍ଜାବ ସହ ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଦୁଇ ନେତାଙ୍କ ମଧ୍ୟରେ ଯେଉଁ ଉଦ୍ଦେଶ୍ୟ ନେଇ ବୈଠକ ହୋଇଥିଲା ତାହା ସଫଳ ହୋଇଥିବା ଅମରିନ୍ଦରଙ୍କ କିଛି ଘନିଷ୍ଠ ସହଯୋଗୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.