ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ

Published By : Prameya-News7 Bureau | June 21, 2021 IST

ମେକ୍ସିକୋ, ୨୧।୦୬: ଆମେରିକା ସୀମା ନିକଟବର୍ତ୍ତୀ ମେକ୍ସିକୋ ସହରର ରେନୋସାରେ ହିଂସାକାଣ୍ଡ । ସହରରେ ଅନେକ ଗାଡିକୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି । ଏପରିକି ସାଧାରଣ ଲୋକଙ୍କ ଉପରେ ମଧ୍ୟ ଗୁଳିମାଡ କରିଛନ୍ତି । ଏହି ହିଂସାକାଣ୍ଡରେ ଅତିକମରେ ୧୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ନ୍ୟୁଜ୍ ଏଜେନ୍ସି ଅନୁସାରେ, ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କିଛି ଦୁର୍ବତ୍ତ ଗାଡିରେ ଆସି ସାଧାରଣ ଲୋକଙ୍କ ଉପରେ ଗୁଳିମାଡ କରିଥିଲେ ।

ସୁରକ୍ଷାକର୍ମୀଙ୍କ କହିବାନୁସାରେ, ଏହି ଘଟଣା ପରେ ଆତଙ୍କ ଖେଳିଯାଇଛି । ତେବେ ୪ ଜଣ ସନ୍ଦିଗ୍ଧଙ୍କୁ ନିପାତ କରାଯାଇଛି । ଏହି ଆକ୍ରମଣ ଶନିବାର ଦ୍ୱିପହରରେ ହୋଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅନେକ ଫଟୋରେ କିପରି ରେନୋସା ରାସ୍ତାରେ ମୃତଦେହ ଗୁଡିକ ପଡିଛି ତାହା ଦେଖିବାକୁ ମିଳିଛି ।

ରେନୋସା ମେୟର ମାକି ଏସ୍ତେର ଆର୍ଟିଜ୍ ଡୋମିଗୁଏଞ୍ଜ୍ ଟ୍ୱିଟରରେ ନାଗରିକଙ୍କ ସୁରକ୍ଷା ପାଇଁ ଅପିଲ କରିଛନ୍ତି । ତାମାଉଲିପାସ୍‌ର ଗଭର୍ଣ୍ଣର ଫ୍ରାନସିସ୍କୋ ଗ୍ରାସିଆ କାବେଜା ଡେ ବାକା ରବିବାର ଏହି ଗୁଳିକାଣ୍ଡକୁ ନିନ୍ଦା କରିଛନ୍ତି । ଏହାସହ ମୃତକଙ୍କ ପ୍ରତି ସମ୍ବେଦନା ଜ୍ଞାପନ କରିଛନ୍ତି । ଆକ୍ରମଣ ପଛରେ ଥିବା କାରଣର ତଦନ୍ତ ଜାରି ରହିଥିବା ସେ କହିଛନ୍ତି । ଅଧିକାଂଶ ଆକ୍ରମଣକାରୀ ଗଲ୍ଫ କାଟେଲ୍ ସହ ଜଡିତ ଥିବା ସେ ସୂଚନା ଦେଇଛନ୍ତି ।

ଗୁଳିକାଣ୍ଡ ପରେ ମେକ୍ସିକୋ ସେନା, ଜାତୀୟ ସୁରକ୍ଷା ବାହିନୀ, ରାଜ୍ୟ ପୋଲିସ ଓ ଅନ୍ୟ. ଏଜେନ୍ସି ଘଟଣାସ୍ଥଳରେ ପହଁଚିଛନ୍ତି । ଅଧିକାରୀଙ୍କ କହିବାନୁସାରେ, ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତିଜଣଙ୍କ ୨ ମହିଳାଙ୍କୁ ଅପହରଣ କରି କାରରେ ନେଇ ଫେରାର ହୋଇଯାଉଥିଲା । ଏହାସହ ତିନୋଟି ଗାଡିକୁ ମଧ୍ୟ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.