ଏନଇଇଟିରେ ମାର୍କ ୦/୭୨୦ : ହତବାକ ହୋଇଗଲେ ପରୀକ୍ଷାର୍ଥୀ, ହାଇକୋର୍ଟଙ୍କ ଦରଜା ବାଡେଇଲେ ଅମରାବତୀର ଝିଅ

Published By : Prameya-News7 Bureau | October 21, 2020 IST

ନୂଆଦିଲ୍ଲୀ,୨୧|୧୦ :  ନିଟ୍ ପରୀକ୍ଷା ଫଳକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ । ପରୀକ୍ଷା ଫଳ ଓଏମଆର ସିଟ୍ ସ୍କୋର ସହ ସମାନ ହେଉ ନଥିବା କିଛି ପରୀକ୍ଷାର୍ଥୀ ଆଭିଯୋଗ କରିଛନ୍ତି । ଏହାକୁ ନେଇ ଅମରାବତୀର ଜଣେ ଛାତ୍ରୀ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମୋଟ୍ ୭୨୦ ମାର୍କରୁ ୦ରଖିଛନ୍ତି । ଯାହାକୁ ନେଇ ସେ ଆପତ୍ତି ପ୍ରକାଶ କରିବା ସହ କୋର୍ଟରେ ଆବେଦନ କରିଛନ୍ତି । ସେହିପରି ଆଉ ଜଣେ ପରୀକ୍ଷାର୍ଥୀ ୨୧୨ ରଖିଥିବାରୁ କୋର୍ଟରେ ଆବେଦନ କରିଛନ୍ତି । କାରଣ ସେ କରିଥିବା ଗଣନାଠାରୁ ମାର୍କ କମ୍ ଆସିଛି ।

ବସୁନ୍ଧରା ଭୋଜାନେ ନାମକ ଜଣେ ଛାତ୍ରୀ ନିଟ୍ ପରୀକ୍ଷା ଦେଇଥିଲେ । ସେ ୭୨୦ରୁ ୬୦୦ ମାର୍କ ପାଇବେ ବୋଲି ଆଶା କରିଥିଲେ । ସେ ଜଣେ ଭଲ ଛାତ୍ରୀ ମଧ୍ୟ । ତାଙ୍କର ଦଶମରେ ୯୩.୪ ପ୍ରତିଶତ ଓ ଦ୍ୱାଦଶରେ ୮୧.୯ ପ୍ରତିଶତ ମାର୍କ ରହିଥିଲା । କିନ୍ତୁ ନିଟ୍ ପରୀକ୍ଷାରେ ତାଙ୍କୁ ୦ ମିଳିଛି । ତାଙ୍କ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ହେଉ ବୋଲି ସେ ଦାବି କରିଛନ୍ତି । ଏହାସହ ଉତ୍ତର ଖାତାକୁ କୋର୍ଟରେ ଦାଖଲ କରିବାକୁ ମଧ୍ୟ ଆବେଦନ କରିଛନ୍ତି । ଏହାସହ ଆଡମିସନ ପ୍ରକ୍ରିୟା ଉପରେ ଅନ୍ତରୀଣ ରୋକ୍ ଲଗାଇବା ପାଇଁ ମଧ୍ୟ ଆବେଦନ ହୋଇଛି ।

ଆବେଦନ ପରେ କୋର୍ଟ ଏନଟିଏ ବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ସହ ସମସ୍ତ ପକ୍ଷକୁ ନୋଟିସ ପଠାଉଛନ୍ତି । ଜଷ୍ଟିସ ଅତୁଲ ଚନ୍ଦୁରକର ଓ ନୀତିନ ସୂର୍ଯ୍ୟବଂଶୀଙ୍କ ବେଞ୍ଚ୍ ଏହାର ଶୁଣାଣି ଆସନ୍ତା ୨୬ରେ କରିବେ ।

ଏହାବ୍ୟତୀତ ବୁଲଦାନାର ଜଣେ ପରୀକ୍ଷାର୍ଥୀ ମାତ୍ର ୨୧୨ ନମ୍ବର ପାଇଛନ୍ତି । ସେ ଓଏମଆର ସିଟ୍ ଦେଖିବା ପରେ ୭୦୦ରୁ ଅଧିକ ମାର୍କ ରଖିବେ ବୋଲି ଆଶା କରିଥିଲେ । କିନ୍ତୁ ମାର୍କ ପାଇବା ପରେ ସେ ନିରାଶ ହୋଇଯାଇଛନ୍ତି ।

ଏନଟିଏ ନିର୍ଦ୍ଦେଶକ ବିନୀତ ଯୋଶୀ କହିଛନ୍ତି ଯେ, ସମସ୍ତ ଅଭିଯୋଗର ତର୍ଜମା କରାଯିବ । ତେବେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ଆସିଥିଲା । ଯାହା ପରେ ଭୁଲ ପ୍ରମାଣିତ ହୋଇଥିଲା । ସେହିପରି ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, କିଛି ପରୀକ୍ଷାର୍ଥୀ ପରୀକ୍ଷାରେ ଭଲ କରିବା ଚାପରେ ଥାଆନ୍ତି । ଖରାପ ହୋଇଥିଲେ ସେମାନେ ଓଏମଆରରେ ଟ୍ୟାମ୍ପରିଂ କରିଥାନ୍ତି । ଯାହା ପରେ କୋର୍ଟରେ  ଭୁଲ ସାବ୍ୟସ୍ତ ହୋଇଥାଏ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.