ଅମାନିଆ ହୋଇ ରାସ୍ତାରେ ବାଇକ୍ ଷ୍ଟଣ୍ଟ୍ କରୁଥିଲେ, ସିଟ୍ ଉପରେ ଠିଆ ହେବା ବେଳେ ଖସିପଡିଲେ

Published By : Prameya-News7 Bureau | June 14, 2021 IST

କାମାକ୍ଷାନଗର,୧୪/୦୬ : ନିର୍ମାଣାଧିନ ୫୩ ନଂ ଜାତୀୟ ରାଜପଥରେ ବାଇକ୍‌ ଷ୍ଟଣ୍ଟ୍‌ କରୁଛନ୍ତି କେତେକ ଯୁବକ । ପ୍ରଶସ୍ତ ନୂଆ ଚକଚକିଆ ରାସ୍ତାରେ ଦ୍ରୁତ ଗତିରେ ବାଇକ୍‌ ଚଳାଇ ବିଭିନ୍ନ ବିପଦପୂର୍ଣ୍ଣ ଭାବଭଙ୍ଗୀ କରୁଛନ୍ତି । କେତେବେଳେ ଦ୍ରୁତଗତିରେ ଚାଲୁଥିବା ବାଇକ୍‌ରେ ଠିଆ ହୋଇଯାଉଛନ୍ତି ତ ଆଉ କେତେବେଳେ ସିଧା ପଛକୁ ଗୋଡ଼ ଲମ୍ବାଇ ଶୋଇ ରହୁଛନ୍ତି । ହ୍ୟାଣ୍ଡେଲ୍‌କୁ ଛାଡ଼ି ଭିଡ଼ିଓ କଲ୍‌ କରୁଛନ୍ତି । କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡ଼ାମାଳି କେନାଲ୍‌ ନିକଟବର୍ତ୍ତୀ ରାଜପଥରେ ଉପରେ ନିୟମିତ ଭାବେ ବାଇକ୍‌ ଷ୍ଟଣ୍ଟ୍‌ ଚାଲିଛି । ସ୍ଥାନୀୟ ଲୋକେ ଯୁବକମାନଙ୍କୁ ଏପରି ନକରିବାକୁ କହିଲେ ସେମାନେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା ଜଣାଯାଇଛି । ଜଣେ ଯୁବକ ବାଇକ୍‌ ଷ୍ଟଣ୍ଟ୍‌ କରୁଥିବା ବେଳେ ଖସି ପଡ଼ି ଲହୁଲୁହାଣ ହୋଇଛନ୍ତି ।

ଯୁବକ ଜଣକ ଦ୍ରୁତଗତିରେ ବାଇକ୍‌ ଚଳାଇ ହ୍ୟାଣ୍ଡେଲ୍‌ ଛାଡ଼ି ସିଟ୍‌ ଉପରେ ଠିଆ ହେବାକୁ ଉଦ୍ୟମ କରୁଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ । କେବଳ ବାଇକ୍‌ଟି ଆଗକୁ କିଛି ବାଟ ମାଡ଼ି ଯାଇ ରାସ୍ତା ପାଶ୍ୱର୍କୁ ଖସି ପଡ଼ିଥିଲା । ସୌଭାଗ୍ୟ ବସତଃ ସେହି ସମୟରେ ଅନ୍ୟ କୌଣସି ଗାଡ଼ିମଟର ଆସୁନଥିବାରୁ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଆଖପାଖରେ ଥିବା ଲୋକେ ଯୁବକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁତର ଯୁବକ ଜଣକ ଖୁଣ୍ଟୁଣି ଅଞ୍ଚଳର ଜୀବନ ବେହେରା(୩୬) ବୋଲି ଜଣାଯାଇଛି । ସେ କାମାକ୍ଷାନଗର ଅଞ୍ଚଳରେ ଘରଭଡ଼ା ନେଇ ରହୁଛନ୍ତି । ପୁଲିସ ଏ ଦିଗରେ ପଦକ୍ଷେପ ନେବା ସହ ବିପଦସଙ୍କୁଳ ଭାବେ ରାଜପଥରେ ଷ୍ଟଣ୍ଟ୍‌ କରୁଥିବା ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.